କଟକ ଅଗ୍ନିକାଣ୍ଡ: ଲକ୍ଷାଧିକ ସମ୍ପତ୍ତି ଭସ୍ମିଭୂତ, ୧୪୦ ଆଗ୍ନିକଙ୍କ ଦ୍ୱାରା ନିଆଁ ଆୟତ୍ତ

କଟକ/ଭୁବନେଶ୍ୱର: ବାଦାମବାଡ଼ି ବସଷ୍ଟାଣ୍ଡ ନିକଟରେ ଥିବା ଏକ କପଡ଼ା ଦୋକାନରେ ରବିବାର ପୂର୍ବାହ୍ନ ୧୧ଟାରେ ଘଟିଥିବା ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମିଭୂତ ହୋଇ ଯାଇଛି। ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ତିନି ମହଲା ବିଶିଷ୍ଟ କପଡ଼ା ସୋ’ରୁମ୍‌ ‘ସିଟି ଷ୍ଟାଇଲ’ ଭସ୍ମିଭୂତ ହେବା ସମ୍ପର୍କରେ ଦମକଳ ବିଭାଗର ଗାଡ଼ିଗୁଡ଼ିକ ପହଞ୍ଚିବା ପୂର୍ବରୁ ଆଉ କିଛି ବାକି ନଥିଲା। ପ୍ରାୟ ୧୯ଟି ଗାଡ଼ିରେ ୧୪୦ ଜଣ ଆଗ୍ନିକ ପ୍ରବଳ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଛନ୍ତି। ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସମେତ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ତଦାରଖ କରିଛନ୍ତି।

 

ଗତ ଜାନୁଆରିରେ ମୁମ୍ବାଇର କମଳା ମିଲରେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ଭୁବନେଶ୍ୱରର ତାରକା ହୋଟେଲମାନଙ୍କରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କିପରି ଅଛି ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା। କିନ୍ତୁ କଟକକୁ ଅଣ ଦେଖାଯାଇଥିଲା। ବ୍ୟସ୍ତ ବହୁଳ କଟକରେ ଖୁନ୍ଦାଖୁନ୍ଦି ହୋଇ ଦୋକାନ-ବଜାର ଓ ସୋ’ରୁମ ଗୁଡ଼ିକ ଥିବା ବେଳେ ପ୍ରଶାସନ ପକ୍ଷରୁ ଅଗ୍ନିକାଣ୍ଡ ସତର୍କ ମୂଳକ ତଦନ୍ତ କେବେ ହେଲେ କରାଯାଇ ନାହିଁ। ଦୁର୍ଘଟଣା ପୂର୍ବରୁ ଆମ ପ୍ରଶାସନିକ ଅଧିକାରୀମାନେ ସତର୍କ ରୁହନ୍ତି ନାହିଁ। ଦୁର୍ଘଟଣା ପରେ ଅଧିକାରୀମାନେ ପହଞ୍ଚି ଯେତେ ଯାହା ପ୍ରତିଶ୍ରୁତି ଦେଲେ କିଛି ଲାଭ ହେବ ନାହିଁ।

ନିଆଁର ମାତ୍ରା ଏତେ ଭୟଙ୍କର ଥିଲା ଯେ, ଏହା ନିକଟରେ ଥିବା ଏକ ହୋଟେଲକୁ ମଧ୍ୟ ବ୍ୟାପିଯାଇଥିଲା। ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଘଟଣା ପରେ ଲିଙ୍କ ରୋଡ୍‌ ଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ୍‌ ଭିଡ଼ ଦେଖାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା। ଖୁସିରେ କଥା ଯେ, ଅତି ନିକଟରେ ଥିବା ଟ୍ରାନ୍ସଫରମରକୁ ନିଆଁ ସଂଯୋଗ ହୋଇ ନାହିଁ, ନହେଲେ ଅନ୍ୟ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା।

ସମ୍ବନ୍ଧିତ ଖବର