ରାୟଗଡ଼ା: ରାୟଗଡ଼ା ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ଗତ ୩ ଦିନରେ ରାୟଗଡ଼ା, କୋଲନରା, କଲ୍ୟାଣସିଂହପୁର ବ୍ଲକର ୧୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଦୃଶ୍ୟମାନ ହୋଇଛି। ବନ ବିଭାଗ ଅଧିକାରୀ ନିଆଁ ଲାଗିବା ସଂପର୍କରେ ଅବଗତ ଅଛନ୍ତି। କିନ୍ତୁ ପୂର୍ବ ପ୍ରସ୍ତୁତି ମୁତାବକ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ଫଳରେ ନିଆଁ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି।
ଗ୍ରୀଷ୍ମ ଆସିବାକୁ ଆହୁରି ଏକ ମାସ ବାକି ଅଛି। ହେଲେ ଚଳିତ ବର୍ଷ ଫଗୁଣ ମାସରୁ ଜଙ୍ଗଲ ଜଳିବା ଆରମ୍ଭ କଲାଣି। ଗତ ୪ ଦିନ ହେଲା ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବହୁ ବନ୍ୟପ୍ରାଣୀ ସଙ୍କଟରେ ପଡ଼ିବା ସହ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଛି। ପୋଡୁ ଚାଷ ସହ ଅଙ୍ଗାର, କାଠ ସଂଗ୍ରହ ପାଇଁ ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ବହୁ ଅଧିବାସୀ ପାହାଡ଼ ଉପରେ ଥିବା ଜଙ୍ଗଲ ଜମିରେ ଚାଷ କରୁଥିବାରୁ ଚାଷକାର୍ଯ୍ୟକୁ ଯିବା ସମୟରେ ପିକା, ବିଡି, ସିଗାରେଟ୍ ଟାଣୁଛନ୍ତି। ଯାହା ଜଙ୍ଗଲରେ ନିଆଁ ଲାଗିବାର ପ୍ରମୁଖ କାରଣ ହୋଇଛି। ଗତ ୧୫ ତାରିଖରେ ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତ ପୂଜାରିଗୁଡା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଗ୍ରାମବାସୀ ଦେଖିଥିଲେ।
ତିନି ଦିନ ପୂର୍ବରୁ ଲାଗିଥିବା ନିଆଁ ଧୀରେ ଧୀରେ ଉଗ୍ର ହେବାରେ ଲାଗିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗର କୌଣସି ଅଧିକାରୀ କିମ୍ବା ନିଆଁକୁ ଆୟତ୍ତ କରିବା ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ୧୬ ତାରିଖରେ ବାଇସିଂ ଗ୍ରାମ ନିକଟ ନାକ ପାହାଡ଼ରେ ଭୀଷଣ ନିଆଁ ଲାଗିଥିବା ଦୃଶ୍ୟମାନ ହୋଇଥିଲା। ଦିନରେ ପ୍ରବଳ ଧୂଆଁ ସହିତ ରାତିରେ ନିଆଁ ଦୃଶ୍ୟମାନ ହୋଇଥିଲେ ମଧ୍ୟ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇନି। କୋଲନରା ବ୍ଲକ ଗାଡ଼ିଶେଷଖାଲ ପଞ୍ଚାୟତ କଲଟିଗୁଡା ନିକଟରେ ମଧ୍ୟ ଜଙ୍ଗଲ ଜଳୁଛି। ଫଳରେ ଜଙ୍ଗଲରେ ଥିବା ବହୁ ଔଷଧୀୟ ଗଛ ସହିତ ଫଳ ଗଛ ପୋଡି ନଷ୍ଟ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
କଲ୍ୟାଣସିଂହପୁର, ରାମନାଗୁଡା ବ୍ଲକର କିଛି ଅଞ୍ଚଳରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଛି। ଖରା ଦିନ ଆସିନଥିବାରୁ ବନ ବିଭାଗ ଏହାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି। ଜଙ୍ଗଲ ନିଆଁ ରୋଗିବାକୁ ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ପର୍ଯ୍ୟନ୍ତ ସ୍ବତନ୍ତ୍ର ଗାର୍ଡ ଟିମ ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ପ୍ରତି ୨୫୦ ବର୍ଗ କିମି ଲାଗି ଜଣେ ବିଟ ଗାର୍ଡ ନିୟୋଜିତ କରାଯିବ। ଦୀର୍ଘ ମାସ ଧରି ନିୟୋଜିତ ଗାର୍ଡମାନେ ଜଙ୍ଗଲ ନିଆଁ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବେ। ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିବାରୁ ବନ ବିଭାଗ ଖୁବ୍ ଶୀଘ୍ର ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।