ରାସ୍ତା କାମ କରିବାକୁ ଯାଇଥିଲେ, ଜଳିଗଲା ଘର; ବେସାହାରା ହେଲେ ୩୨ଟି ପରିବାର

ଭଞ୍ଜନଗର: ଚାହୁଁ ଚାହୁଁ ଆଖି ଆଗରେ ଜଳିଗଲା ଗୋଟିଏ ପରେ ଗୋଟିଏ ଘର। ଆସବାବପତ୍ର ଦୂରର କଥା, ପିନ୍ଧା ଲୁଗା କିମ୍ବା ବାସନ ବି ଉଦ୍ଧାର କରିପାରିଲେ ନାହିଁ । ସବୁକିଛି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ଏବେ ବେସାହାରା ହୋଇପଡିଛନ୍ତି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନୂଆଁ ଦୋରଙ୍ଗି ଗାଁର ୩୨ଟି ବିପନ୍ନ ପରିବାର। ପିଲା-ଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା ।

ଗାଁର ଅଧିକାଂଶ ପୁରୁଷ ଓ ମହିଳା ଦିନ ମଜୁରିଆ ହୋଇଥିବାରୁ, ସୋମାନେ ଆଜି ଏକ ରାସ୍ତା କାମକୁ ଚାଲିଯାଇଥିଲେ । ଆଉ କିଛି ପରିବାର ଖାଇବସିଥିବା ବେଳେ, ସଂପୃକ୍ତ ସାହିର ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ନିଆଁ ବାହାରିଥିଲା । ତା’ପରେ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ତାହା ଲିଭାଇବା ସମ୍ଭବ ହୋଇନଥିଲା କିମ୍ବା ନିଆଁ ଲିଭାଇବାକୁ ପାଣିର ମଧ୍ୟ ସୁବିଧା ନଥିଲା । ଭଂଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ନିଆଁକୁ ଲିଭାଇଥିଲେ। ସଂଧ୍ୟା ସୁଦ୍ଧା ସ୍ଥାନୀୟ, ରାଜସ୍ବ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଛି ।

ଗ୍ରାମର ରାମେଶ୍ବର ମଳିକ, ଶତ୍ରୃଘନ ମଳିକ, ବିପ୍ର ମଳିକ, ଗଙ୍ଗାଧର ମଳିକ, ସିମାଞ୍ଚଳ ମଳିକ, ଡମ୍ବୁରୁଧର ମଳିକ, ବିଧାୟକ ମଳିକ, ଯୀଶୁ ମଳିକ, ପୂର୍ଣଚନ୍ଦ୍ର ମଳିକ, ପ୍ରତାପ ଜାନୀ, ରୋହିତ ଜାନୀ, ବାଳକୃଷ୍ଣ ଜାନୀ, ଦ୍ବିତୀକୃଷ୍ଣ ମଳିକ, ରାଧାକୃଷ୍ଣ ମଳିକ, ସୁନାଧର ମଳିକ, ପ୍ରଦୀପ ମଳିକ, ଜେମା ମଳିକ, ଶରତ ମଳିକ, ବିଦ୍ୟାଧର ପ୍ରଧାନ ଓ ବିପିନ ମଳିକ ପ୍ରମୁଖଙ୍କ ଘରପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏସମସ୍ତେ ଗରୀବ ଶ୍ରେଣୀର ହୋଇଥିବାରୁ ଏମାନଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇଛି ।

ସମ୍ବନ୍ଧିତ ଖବର