ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ମୌଜାର ଖଣ୍ଡିବେଲାରୀ ପଡ଼ାରେ ଅଗ୍ନିକାଣ୍ଡ ଘଟି କେଦାର ଲେଙ୍କାଙ୍କ ୬ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଓ ଟଙ୍କା ପଇସା ନଷ୍ଟ ହୋଇଛି। ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨:୩୦ ସମୟରେ ଶ୍ରୀ ଲେଙ୍କାଙ୍କ ଘରେ ଅଚାନକ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲା ବେଳେ ଘରେ ହଠାତ୍ ନିଆଁ ଲାଗିବା ଗ୍ରାମବାସୀ ଦେଖିବାରୁ ସମସ୍ତେ ଜାଣିଥିଲେ। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଅସ୍ତରଙ୍ଗ-କାକଟପୁର ନିମନ୍ତେ ଥିବା ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ବିଳମ୍ବ ହେବାରୁ କୋଣାର୍କରୁ ଦମକଳ ଗାଡି ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଘର ସମେତ ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର, ରୋଷେଇ ସାମଗ୍ରୀ, ଲୁଗାପଟା, ଆଲମିରା, ବ୍ୟବହୃତ ସାମଗ୍ରୀ, ଟଙ୍କା ପଇସା, ସୁନା ଅଳଙ୍କାର ସବୁ ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା ।
ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ କେଦାର ଜଣେ ଚାଷୀ, ବର୍ଷକ ଭିତରେ ଅମଳ କରିଥିବା ସମସ୍ତ ଧାନ ପୋଡି ଅଙ୍ଗାର ହୋଇଯାଇଛି। ଗୃହ ଭିତରେ ମହଜୁଦ ଥିବା ଚାଉଳ ଓ ଖାଦ୍ୟ ପେୟ ସାମଗ୍ରୀ ମଧ୍ୟ ନିଆଁରେ ଜଳି ନଷ୍ଟ ହୋଇଯିବାରୁ ସର୍ବସ୍ବ ହରାଇବାକୁ ପଡ଼ିଛି। ଘଟଣାସ୍ଥଳରେ ଝାଡଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରଶାସନ ଅଗ୍ନି ବିପନ୍ନ ନିକଟରେ ପହଞ୍ଚି ପାରିନି।
ସବୁଠୁ ବଡ କଥା ହେଲା, ଅସ୍ତରଙ୍ଗ ବ୍ଲକ ପାଇଁ ଥିବା କାକଟପୁର ମାଳାମାଛ ଛକ ନିକଟରେ ଥିବା ଅଗ୍ନିଶମ ବିଭାଗ ଅନ୍ୟଆଡ଼େ ଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ଅସ୍ତରଙ୍ଗରୁ ପ୍ରାୟ ୩୦ କିମି ଦୂରରୁ ଦମକଳ ବାହିନୀ ଆସି ପହଞ୍ଚିଲା ବେଳକୁ କାମ ବଢ଼ିଯାଇଥିଲା। ଏଭଳି ଏକ ଦୁଖଃଦ ଖବର ଶୁଣିବା ପରେ ଅସ୍ତରଙ୍ଗର ସବୁଜଶାଖା କ୍ଲବ ପକ୍ଷରୁ ଦିବାକର ଛାଟୋଇଙ୍କ ନେତୃତ୍ୱରେ ଏକ ଟିମ୍ ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ଭେଟି ପ୍ରଥମେ ସାହାଯ୍ୟର ହାତ ବଢ଼ାଇଥିଲା। ଅସୁବିଧାରେ ପରିବାରକୁ ୨ ହଜାର ଟଙ୍କା, ୫୦ କିଗ୍ରା ଚାଉଳ, ପାଲ, ବସ୍ତ୍ର, ଶୁଖିଲା ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ସାହାଯ୍ୟ ବେଳେ ସବୁଜଶାଖାର ସଭାପତି ରମାକାନ୍ତ ବସ୍ତିଆ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ। କ୍ଷତିଗ୍ରସ୍ତ ପାରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସବୁଜଶାଖାର ସଭ୍ୟମାନେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/e5b28852-4262-402b-b490-5d72dc03f293.jpeg)