ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଲିସ ଉପରେ ଜନତା ଆକ୍ରୋଶ ଦେଖାଯାଇଛନ୍ତି। ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ଥାନାରେ ନିସ୍ତୁକ ପିଟିଛନ୍ତି। ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କର ଆକ୍ରମଣର ଶିକାର ହୋଇଛନ୍ତି। ନିକଟରେ ଜବତ ହୋଇଥିବା ଗଞ୍ଜେଇକୁ ଏହି ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ଥାନାରେ ନିଆଁ ଲଗାଇଦେଇଛନ୍ତି। ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧୀନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ହୋମଗାର୍ଡଙ୍କ ସହାୟତାରେ ଆଇଆଇସି ବିକ୍ରି କରିଦେଉଛନ୍ତି।
ଉତ୍ତ୍ୟକ୍ତ ଜନତାଙ୍କ ଅଭିଯୋଗ ହେଲା ଯେ, ପୁଲିସ ଦ୍ବାରା ବିଭିନ୍ନ ସମୟରେ ଜବତ ହୋଇଥିବା ଗଂଜେଇକୁ ଫିରିଙ୍ଗିଆ ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀ ବିକ୍ରି କରୁଥିଲେ। ଏହାର ପ୍ରତିବାଦରେ ଶନିବାର ଦିନ ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ ରାସ୍ତାରୋକ କରିବା ସହିତ ତୁରନ୍ତ ଥାନା ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଶତାଧିକ ଲୋକ ବ୍ଲକ ଛକରେ ବାଉଁଶ ବାନ୍ଧି ରାସ୍ତାରୋକ କରିବା ସହିତ ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ନାରାବାଜି କରିଥିଲେ।
ରାସ୍ତାରୋକ ଫଳରେ ଫୁଲବାଣୀ-ବାଲିଗୁଡ଼ାକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏକାଧିକ ଗାଡ଼ି ବ୍ଲକ ଛକର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାରୋକ କାରଣରୁ ଘଟଣାସ୍ଥଳକୁ ପୁଲିସ ଅଧିକାରୀ ପହଂଚିନାହାନ୍ତି।
/sambad/media/post_attachments/wp-content/uploads/2023/08/5ceea02f-1204-4882-bf27-194e8b288e3b-e1691241236692-1024x586.jpg)
ସୂଚନାଯୋଗ୍ୟ, କୌଣସି ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କାରବାର କରିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା। ପୁଲିସ ଏକ ବୋଲେରୋରେ ସେଠାକୁ ଗଂଜେଇ ନେଇଥିଲା। ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଭିଡିଓ ରେକର୍ଡିଂ କରିଥିଲେ। ପରେ ସେମାନେ ସେହି ଭିଡ଼ିଓକୁ କନ୍ଧମାଳ ଏସ୍ପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କାହା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ଲାଇଥିଲେ। ତେବେ ଏହା ଉପରେ କନ୍ଧମାଳ ଏସ୍ପି କିମ୍ବା ଅନ୍ୟ ପୁଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/7a03e2d6-e8eb-4017-835d-a572a10a4e08.jpg)