ବାରିପଦା: ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ୍‌) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଶୁକ୍ରବାର ଅପରାହ୍‌ଣରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ୭ ମହଲା ବିଶିଷ୍ଟ ମେଡ଼ିକାଲରେ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗିଥିଲା। ମାତ୍ର ଠିକ୍‌ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ କାରଣରୁ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି।

Advertisment

ମୟୂରଭଂଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଜିକେ ମହାନ୍ତି କହିଛନ୍ତି, ଆଜି ଦିନ ୨ଟା ୨୦ ଓଟିରେ ଅପରେସନ୍‌ ଚାଲିଥିବା ବେଳେ ନିଆଁ ଲାଗିଥିଲା। ନିଆଁ ଲାଗିବାର ଅଳ୍ପ ସମୟ ମଧ୍ୟରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ଷ୍ଟିଚ୍‌ କରାଯାଇଥିଲା। ଏଥି ସହିତ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଯେଉଁ ରୋଗୀମାନଙ୍କୁ ଓଟିରୁ ସ୍ଥାନାନ୍ତରିତ କରାଯାଇଥିଲା, ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଅଘଟଣ କାରଣରୁ କାହାର କିଛି କ୍ଷତି ହୋଇନାହିଁ ସମସ୍ତେ ସୁରକ୍ଷିତ ଅଛନ୍ତି।

ତେବେ ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଲିଭି ଯାଇଥିଲେ ମଧ୍ୟ ମେଡ଼ିକାଲ୍‌ରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂଆଁ ହଟି ନଥିଲା। ପୂରା ପରିବେଶ ଧୂଆଁମୟ ହୋଇଯାଇଥିଲା। ଏଥି ପାଇଁ ବିଦ୍ୟୁତ ସରବରାହ ମଧ୍ୟ କାଟି ଦିଆଯାଇଥିଲା।