ଅନୁଗୁଳ: ଯାହା ଆଶଙ୍କା କରାଯାଉଥିଲା, ସେୟା ହିଁ ହୋଇଛି। ବିନା ଅଗ୍ନି ନିରାପତ୍ତାରେ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ନିଆଁ ଭୟଙ୍କର ରୂପ ନେଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍‌ ସର୍ଟସର୍କିଟ୍ ବୋଲି କୁହାଯାଉଛି। ବିଦ୍ୟୁତ୍‌ ପ୍ୟାନେଲ୍ ବୋର୍ଡରୁ ସୂତ୍ରପାତ ହୋଇଥିବା ପ୍ରଥମ ନିଆଁ ତଳ ସୋ’ ରୁମ୍‌ ସହିତ ଉପର ଦୁଇ ମହଲା କୋଠାକୁ ଜାଳି ଦେଇଛି। ଘଟଣାରେ ୨୦ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଛାରଖାର୍‌ ହୋଇଛି।

Advertisment

ସୂଚନା ମୁତାବକ, ଏ ଘଟଣା ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘଟିଥିଲା। ପ୍ରାୟ ଦୁଇବର୍ଷ ତଳେ ଖୋଲାଯାଇଥିବା ଏହି ସୋ’ ରୁମ୍‌ରେ ସନ୍ଧ୍ୟାରେ ଥିଲା ଭିଡ଼।  ଦୋକାନରେ ଗ୍ରାହକମାନେ ଥିଲେ। ଏହି ସମୟରେ ହଠାତ୍‌ ଦୋକାନ ପ୍ରବେଶ ପଥର ବାମ ପଟେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିଲା। ସେହିଠାରୁ ନିଆଁ ସୂତ୍ରପାତ ହୋଇ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଥିଲା। ସୋ’ ରୁମ୍‌ରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ସାମ୍ନା ସ୍ଥିତ ସୋ’ ରୁମ୍‌ କର୍ତୃପକ୍ଷ ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁକୁ ଲିଭାଇବାକୁ ଗଲା ବେଳକୁ ହଠାତ୍‌ ପ୍ୟାନେଲ୍ ବୋର୍ଡରେ ବିସ୍ଫୋରଣ ହୋଇଥିଲା।

ସୂଚନା ପାଇ ଅନୁଗୁଳ ଅଗ୍ନିଶମ ବାହିନୀ କେଇ ମିନିଟ୍ ଭିତରେ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ବିଭାଗ ତୁରନ୍ତ ବିଦ୍ୟୁତ୍‌ କାଟିଲା ପରେ ତିନି ତିନିଟା ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାରେ କ୍ଷୟକ୍ଷତିର ଆକଳନ ସରିନାହିଁ। ତଥାପି କ୍ଷୟକ୍ଷତି ପ୍ରାୟ ୨୦ଲକ୍ଷରୁ କମ୍ ନୁହେଁ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ସୁକାନ୍ତ ନାଥ ପ୍ରକାଶ କରିଛନ୍ତି। ଏ ସୋ’ରୁମ୍‌ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିନଥିଲା। ଅଗ୍ନିଶମ ବାହିନୀଠୁ ସୋ’ ରୁମ୍‌ କର୍ତୃପକ୍ଷ କୌଣସି ସାର୍ଟିଫିକେଟ୍ ବି ନେଇ ନ ଥିଲେ ବୋଲି ଶ୍ରୀ ନାଥ ପ୍ରକାଶ କରିଛନ୍ତି।