ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଚାଷୀର ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଅବସ୍ଥା ହୋଇଛି। ଏହି ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ସାନରାମାସା ଗ୍ରାମରେ ଗୋଟିଏ ପରିବାରର ତିନି ଜଣ କ୍ଷୁଦ୍ରଚାଷୀଙ୍କ ଦୁଇ ଏକର ଜମିରୁ ସଂଗୃହୀତ ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି।
ସୂଚନା ପ୍ରକାରେ ସାନରାମାସା ଗ୍ରାମର ଗୋଟିଏ ପରିବାରର ରୂପସିଂ ଗୌଡ଼, ଡମୁ ଗୌଡ଼ ଓ ଲଛମନ ଗୌଡ଼ ପ୍ରମୁଖ ୫ ଏକର ଧାନ ଜମିରେ ଚାଷ କରିଥିଲେ। ଗତ ୪ ଦିନ ତଳେ ଧାନ ଜମିରୁ ଧାନ କାଟି ଘର ନିକଟସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମୁଖରେ ଥିବା ଖଳାରେ ୧୦ ଗୋଟି ଧାନ ଗଦା କରି ରଖିଥିଲେ। ତେବେ ଆଜି ଅପରାହ୍ଣ ୩ ଘଣ୍ଟା ସମୟରେ କୌଣସି କାରଣ ବଶତଃ ଧାନ ଗଦାରେ ନିଆଁ ଲାଗିଯାଇଥିଲା।
ଚଳିତ ବର୍ଷ ନବରଂଗପୁରରେ ଏକାଧିକ ଚାଷୀଙ୍କର ଧାନଗଦାରେ ନିଆଁ ଲାଗିସାରିଛି। ଧାନଗଦାରେ ନିଆଁ ଲାଗିବା ଦ୍ବାରା ଚାଷୀର ମେରୁଦଣ୍ଡ ଭାଙ୍ଗି ପଡୁଛି। ବର୍ଷ ସାରା କେମିତି ପରିବାର ଚଳାଇବେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ମଧ୍ୟରେ ଭାଲେଣି ପଡୁଛି।
ନିଆଁ ଲାଗିବା ପରେ ତୁରନ୍ତ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ନିକଟରେ ଥିବା ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ବେଳକୁ ରୁପସିଂ ଗୌଡ଼ଙ୍କ ଗୋଟିଏ ଧାନ ଗଦା ସମ୍ପୂର୍ଣ ଜଳି ନଷ୍ଟ ହୋଇଥିବା ବେଳେ ଲଛମନ ଗୌଡ଼ଙ୍କ ଧାନ ଗଦାର ପ୍ରାୟ ୫୦ ପ୍ରତିଶତ ଜଳି ନଷ୍ଟ ହୋଇ ଯାଇଛି। ଉଭୟଙ୍କ ପ୍ରାୟ ଦୁଇ ଏକର ଜମିର ଧାନ ନିଆଁରେ ପଡି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ତେବେ ଧାର ଉଧାର କରି ଚାଷ କରିଥିବା ଗରିବ କ୍ଷୁଦ୍ରଚାଷୀଙ୍କ ପରିବାର ଋଣ କିଭଳି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।