କଟକ : ଓଡ଼ିଶାକୁ ଯେକୌଣସି ମୁହୂର୍ତ୍ତରେ ପଙ୍ଗପାଳ ପଶିଆସିବାର ଆଶଙ୍କା ରହିଛି। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଓଡ଼ିଶାକୁ ଆଜି ୩ଟି ଶ୍ରେଣୀଭୁକ୍ତ କରାଯାଇଛି। ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲାର ହାଇରିସ୍କ‌୍ ବା ଅଧିକ ବିପଦ ଥିବା ଜିଲ୍ଲାର ୯୮ଟି ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟ ଜାରି କରାଯାଇଛି। ଏମାନେ ଅଗ୍ନିଶମ ଗାଡ଼ି ସହିତ ସଜାଗ ରହିବେ। ଅଗ୍ନିଶମ ଗାଡ଼ି ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ। ଏହାଦ୍ବାରା ପଙ୍ଗପାଳ ତଳକୁ ନ ଓହ୍ଲାଇ ନିଜ ଗତିପଥ ବଦଳାଇବାକୁ ବାଧ୍ୟ ହେବା ନେଇ ସୂଚନା ମିଳିଛି।

Advertisment

publive-image PRI.org

ସୂଚନା ଅନୁଯାୟୀ, ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଏବେ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି। ପବନର ଦିଗ ବଦଳିଲେ କୌଣସି ମୁହୂର୍ତ୍ତରେ ସେମାନେ ଓଡ଼ିଶା ଆଡ଼କୁ ମାଡ଼ି ଆସିପାରନ୍ତି। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଗ୍ନିଶମ ବିଭାଗ ଡିଜି ଆୟୋଜିତ ବୈଠକ ପରେ ଆଜି ରାଜ୍ୟକୁ ହାଇ ରିସ୍କ୍‌, ମିଡିୟମ ରିସ୍କ ଏବଂ ଲୋ ରିସ୍କ ଜୋନ୍‌ରେ ଶ୍ରେଣୀଭୁକ୍ତ କରାଯାଇଛି। ହାଇରିସ୍କ୍‌ ଜୋନ୍‌ରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ବରଗଡ଼, ଝାରସୁଗୁଡ଼ା, ରାୟଗଡ଼ାରେ ରହିଛି। ମଧ୍ୟମ ରିସ୍କ୍‌ ବା ମଧ୍ୟମ ବିପଦରେ କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ରହିଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି। ଏଥିରେ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ସିଡିଏମ୍‌ଓ(ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ) ସାମିଲ ହୋଇଛନ୍ତି। କେଉଁଭଳି ଅଗ୍ନିଶମ ଗାଡ଼ିରେ କେମିକାଲ୍ ସ୍ପ୍ରେ କରି ପଙ୍ଗପାଳଙ୍କୁ ଦମନ କରାଯିବ, ସେ ନେଇ ଜିଲ୍ଲା କୃଷି ଅଧିକାରୀ ନିଷ୍ପତ୍ତି ନେବେ। ତେବେ ଛତିଶଗଡ଼ ଯେଉଁ ଧରଣର କେମିକାଲ୍ ବ୍ୟବହାର କରୁଛି, ଓଡ଼ିଶା ସେଭଳି ପଙ୍ଗପାଳ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ମାଲିଥିଅନ, ସର୍ଭିଲିଅନ, କ୍ଲୋରଫାଇନଫସ, ପ୍ୟୁନାଫସ୍ ଭଳି କେମିକାଲ୍ ପଙ୍ଗପାଳ ଦମନରେ ବ୍ୟବହାର କରାଯିବ।

ଅଗ୍ନିଶମ ଆଇ.ଜି ଅସିତ ପାଣିଗ୍ରାହୀ କହିଛନ୍ତି ଯେ ଏବେ ତିନିଶ୍ରେଣୀରେ ବିଭକ୍ତ ହୋଇଥିବା ଜିଲ୍ଲାର ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ କରାଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାର ଅଗ୍ନଶମ ଅଧିକାରୀଙ୍କୁ ସେଠାକୁ ବି ପଠାଯିବ।

୫୦୦ କିମି ଦୂରରେ ଅଛନ୍ତି ପଙ୍ଗପାଳ
ଭୁବନେଶ୍ବର : ପଙ୍ଗପାଳ ଏବେ ଓଡ଼ିଶା ଠାରୁ ୫୦୦ କିମି ଦୂରରେ ଅଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଅଛନ୍ତି। କିନ୍ତୁ ଓଡ଼ିଶା ଆସିବାର ଆଶଙ୍କାକୁ ଏଡ଼ା‌ଇ ଦିଆଯାଇ ନ ପାରେ। ସେଥି ପାଇଁ ପ୍ରତିଦିନ ସ୍ଥିତିର ତଦାରଖ କରାଯାଉଛି ବୋଲି କୃଷି ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର କହିଛନ୍ତି। ପଙ୍ଗପାଳଙ୍କୁ ମୁକାବିଲା କରିବା ନିମନ୍ତେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ଆଜି କଳ୍ପନା ଛକସ୍ଥିତ ଅଗ୍ନିଶମ କେନ୍ଦ୍ରରେ କର୍ମଚାରୀମାନେ ଏଥି ପାଇଁ ମକ୍‌ଡ୍ରିଲ୍‌ କରିଛନ୍ତି। ପ୍ରତି ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦିଆଯାଇଛି।