ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ରାତିରେ ପରିତ୍ୟକ୍ତ ନଳକୂପରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣାର ଉଦ୍ଧାର କାର୍ଯ୍ୟ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଉତ୍ତରାଞ୍ଚଳ ଅଗ୍ନିଶମ ରେଞ୍ଜ୍ ଅଫିସର ସଲିଲ ପ୍ରକାଶ କିଣ୍ଡୋ ଏବଂ ସୁଶାନ୍ତ ରାଉଳ ତାଙ୍କ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅପରାହ୍‌ଣ ୨ଟା ୪୬ ମିନିଟରେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିତ୍ୟକ୍ତ ନଳକୂପ ଭିତରେ ଶିଶୁ ଥିବା ଜାଣିବା ପରେ ତାକୁ କେମିତି ଅକ୍ସିଜେନ ଦିଆଯିବ ସେଇଟା ଅଗ୍ନିଶମବାହିନୀଙ୍କ ପ୍ରଥମ ଦାୟିତ୍ୱ ଥିଲା। ରେଙ୍ଗାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଫାର୍ମାସିଷ୍ଟଙ୍କୁ ଅନୁରୋଧ କରିଥିଲୁ ଘଟଣାସ୍ଥଳରେ ଆସି ପହଞ୍ଚିବା ପାଇଁ। ଆଉ ପରେ ମେସିନ ମାଟି ଖୋଳିବା ଆଉ ମାଟିକୁ ସେହି ସ୍ଥାନରୁ ସଫା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।

Advertisment

publive-image

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଅତି ସାବଧାନତାର ସହ ପାଇପକୁ କାଟିବାକୁ ପଡ଼ିଲା। କାରଣ ଆମର ଟିକିଏ ଭୁଲ ପାଇଁ ପିଲାଟି ଯେମିତି ଖସିନପଡୁ ତା’ ଉପରେ ଗୁରୁତ୍ୱପୂର୍ଣ୍ଣ ଥିଲା। ପିଲାଟି ପାଇପର କେଉଁ ସ୍ଥାନରେ ଅଛି, କେତେ ଦୂରତାରେ ଅଛି ତାହା ଜାଣିବା ପାଇଁ ଆମେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଲୋଡ଼ିଥିଲୁ। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିଜେ ସମୀକ୍ଷା କରୁଥିବାରୁ ତୁରନ୍ତ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଝାରସୁଗୁଡ଼ା ସେହି କ୍ୟାମେରାକୁ ପଠାଯାଥିଲା। କ୍ୟାମେରା ପହଞ୍ଚିବା ପୂର୍ବରୁ ଆମେ ଖୋଳାଖୋଳି କାମ ସାରିଥିଲୁ। ପରେ ଅତି ସୁକ୍ଷ୍ମତାର ସହ ସମ୍ବେଦନଶୀଳ ଭାବେ ସୁରକ୍ଷିତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରୀ ଟିମକୁ ଦେଇଥିଲୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। କୁନି ଶିଶୁକନ୍ୟାର ଜୀବନ ବଞ୍ଚାଇବା ପାଇଁ ଉଡ଼ାଜାହାଜ ପଠାଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରିଥିବାରୁ ନିଷ୍ପାପ ଶିଶୁଟି ବଞ୍ଚିଗଲା। ତେଣୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏବେ ଶିଶୁଟି ସୁସ୍ଥ ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଅପରେସନର ବିଜେତା ହେଉଛି ଶିଶୁ। ଏହା ଏକ ଦୁର୍ଘଟଣା ନୁହେଁ ଏହା ହେଉଛି ଏକ ଅପରାଧ, ଏହାକୁ କୌଣସି ଅନ୍ୟଘଟଣା ସହ ତୁଳନା କରି କହିବା ଠିକ୍ ହେବ ନାହିଁ। ଏହି ଘଟଣା ନେଇ ସ୍ଥାନୀୟ ପୁଲିସ ତଦନ୍ତ କରୁଛି। ୩୦୭ ଦଫା ଲଗାଇ ଏହି ଘଟଣାର ତଦନ୍ତ କରୁଛି, ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।