ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରାସ୍ତାରେ ଏକ ଘରେ ଏସି ସର୍ଟସର୍କିଟ୍‌ରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ ବୃଦ୍ଧ ଦମ୍ପତି ଗୁରୁତର ହୋଇଛନ୍ତି। ସ୍ବାମୀ ପ୍ରଭାକର ସାହୁ ନିଆଁ ଧୂଆଁରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ବେଳେ ପତ୍ନୀ ଉତ୍ତରା ସାହୁଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ତାଙ୍କର ଅବସ୍ଥା ଗୁରୁତର ରହିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରୋଡ଼ ବ୍ରଜନଗରରେ ଏକ ଘରର ପ୍ରଥମ ମହଲାରେ ପ୍ରଭାକର ସାହୁ ଓ ପତ୍ନୀ ଉତ୍ତରା ରହୁଛନ୍ତି।

Advertisment

ତାଙ୍କର ପୁଅ ବାହାରେ କାମ କରି ରହୁଛନ୍ତି। ଆଜି ମଧ୍ୟାହ୍ନ ସମୟରେ ଘରର ତଳ ମହଲାରେ ଫ୍ୟାନ୍‌ ମରାମତି କରୁଥିବା ଅରୁଣ କୁମାର ବେହେରା ଉପର ମହଲାରୁ ଧୂଆଁ ଆସୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଉପର ମହଲାର ଏକ ଘରେ ବୃଦ୍ଧ ଦମ୍ପତି ଶୋଇଥିଲେ। ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ଉପର ମହଲାକୁ ଯାଇ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲା। ଅଗ୍ନିକାଣ୍ଡରେ ଉତ୍ତରାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିବା ବେଳେ ପ୍ରଭାକର ଶ୍ବାସରୁଦ୍ଧ ହୋଇ ପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏସିରେ ସର୍ଟସର୍କିଟ ଘଟି ସେହି କୋଠରିରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।