ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ତଳି ବରକୋଟ ଘାଟି ନିକଟରେ ସିଆର୍ପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପରେ ମାଓବାଦୀମାନେ ଛାତ୍ରଭଙ୍ଗ ଦେଇଛନ୍ତି। ତେବେ, ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗୁରୁବାର ରାତିରେ ସିଆର୍ପିଏଫ୍ ୨୧୬ ବାଟାଲିୟନର ବରକୋଟ କ୍ୟାମ୍ପର ଯବାନମାନେ ସୁନାବେଡ଼ା ଅଭୟାରଣ୍ୟ ଭିତରକୁ କମ୍ବିଂ ଅପରେସନରେ ଯାଇଥିଲେ। ଶୁକ୍ରବାର ଭୋର୍ରେ ବରକୋଟ କ୍ୟାମ୍ପକୁ ଫେରୁଥିଲେ। ବରକୋଟ ଓ ଚେରେଚୁଆଁ ମଧ୍ୟସ୍ଥ ଘାଟିର ଡାହାଣ ପାର୍ଶ୍ଵରେ ଯବାନମାନେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ମାଓବାଦୀମାନେ ୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଫଳରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଶେଷରେ ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସିଆର୍ପିଏଫ୍ ଯବାନମାନେ ଅଭୟାରଣ୍ୟରୁ କମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ବରକୋଟ ଜଙ୍ଗଲରେ ବାର୍ହା ଗୋଳା ଖଞ୍ଜାଯାଇଥିଲା। ଜଙ୍ଗଲୀ କୁକୁର ଗୋଳାକୁ ଚୋବାଇ ଦେବାରୁ ବିସ୍ଫୋରଣ ହୋଇଥିଲା। ହେଲେ ସିଆରପିଏଫ୍ ଯବାନମାନେ ମାଓବାଦୀ ବିସ୍ଫୋରଣ କରିଥିବା ଭାବି ଗୁଳିଚାଳନା କରିଥିଲେ ବୋଲି ଚର୍ଚ୍ଚା ହେଉଛି। ସିଆର୍ପିଏଫ୍ ୨୧୬ କମାଣ୍ଡାଣ୍ଟ ଏରିକ୍ ଗିଲବଟ୍ ଜୋସ୍ କହିଛନ୍ତି ଯେ, ବରକୋଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଖବର ପାଇଁ ଯବାନମାନେ କମ୍ବିଂ କରୁଥିବା ବେଳେ ଯବାନମାନେ ମାଓବାଦୀଙ୍କୁ ଦେଖି ଗୁଳିଚାଳନା କରିଥିଲେ। ଯବାନମାନେ ପାଲଟା ଗୁଳି ଚଳାଇବାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲକୁ ପଳାଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/naxal1.jpg)