ତାଳବଣିଆ ଜଙ୍ଗଲକୁ ନିଆଁ ଭୟ, ୧୬ ଦିନରେ ୪ଥର ଲାଗିଲାଣି ନିଆଁ

ପୁରୀ : ତାଳବଣିଆ ଜଙ୍ଗଲକୁ ଘାରିଛ ନିଆଁ ଭୟ। ମଧୁର ଜଳ ଭଣ୍ଡାରର ସଂରକ୍ଷଣକୁ ଦୃଷ୍ଟିରେ ରଖି ଜଙ୍ଗଲ ସୃଷ୍ଟି କରାଯାଇଛି। ଅଥଚ କଟକଣା ସତ୍ତ୍ବେ ତାଳବଣିଆ ଜଙ୍ଗଲ ବଣଭୋଜିର ପେଣ୍ଠ ପାଲଟିଛି। ଫଳରେ ଗତ ୧୬ ଦିନ ମଧ୍ୟରେ ୪ଥର ଜଙ୍ଗଲରେ ନିଆଁ ଲାଗିଲାଣି। ନିଆଁ ବ୍ୟାପିବା ପୂର୍ବରୁ ଆୟତ୍ତ କରାଯିବାରୁ ବଡ଼ଧରଣର ଦୁର୍ଘଟଣା ଏଡ଼ାଇ ଦିଆଯାଇଛି, କିନ୍ତୁ ବାରମ୍ବାର ଏଭଳି ଅଘଟଣ ଆଗାମୀ ଦିନ ପାଇଁ ଆହ୍ବାନ ଛିଡ଼ା କରିଛି।

୨୦ ବର୍ଷ ତଳେ କୃତ୍ରିମ ଭାବେ ଏହି ଜଙ୍ଗଲର ପରିକଳ୍ପନା କରାଯାଇଥିଲା। ପ୍ରାୟ ୧୦୦ ଏକର ପରିମିତ ତାଳବଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଛି। ମାତ୍ର ସବୁଜ ବନାନୀମୟ ପରିବେଶ ପାଇଁ ବିପଦ ସାଜିଛି ବର୍ଜ୍ୟର ଡମ୍ପିଂ ଓ ନିଆଁ। ବାସ୍ତବରେ ଏହି ଜଙ୍ଗଲର ଦାୟିତ୍ବ ଉଭୟ ବନବିଭାଗ ଓ ପୌରପାଳିକା ଅଧୀନରେ ରହିଥିଲେ ହେଁ ଏହାକୁ ସୁରକ୍ଷିତ ରଖିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷରେ ଅସାମାଜିକ ବ୍ୟକ୍ତିମାନେ ଅଧିକାଂଶ ସମୟରେ ମଦ୍ୟପାନ ପାଇଁ ଏହି ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ଭାବେ ଆପଣାଇ ନେଇଛନ୍ତି। ମଦ୍ୟପାନ ଓ ସିଗାରେଟ ଯୋଗୁ ଏଭଳି କାଣ୍ଡ ଘଟୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। କେବଳ ସେତିକି ନୁହେଁ ଏହା ମଧ୍ୟରେ ଭୋଜି ଆୟୋଜନ କରାଯାଉଛି। ବଣଭୋଜି ଋତୁ ଚାଲିଥିବାରୁ ‌ଦଳଗତ ଭାବେ ଏହା ମଧ୍ୟରେ ଭୋଜି ଆୟୋଜନ କରୁଥିଲେ ହେଁ ନିଆଁ ନ ଲିଭାଇ ଚାଲିଯାଉଛନ୍ତି। ଫଳରେ ଶୁଖିଲା ପତ୍ରକୁ ବ୍ୟାପି ଏଭଳି ଅଗ୍ନିକାଣ୍ଡ ଘଟୁଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କିଛି ବ୍ୟକ୍ତିବିଶେଷ ଏହି ଜଙ୍ଗଲ ମଧ୍ୟରେ ଅଳିଆ ଗଦା କରିବା ସହ ନିଆଁ ଲଗାଇ ଦେବାକୁ ଉଦ୍ୟମ କରୁଛନ୍ତି।

ଏନେଇ ପରିବେଶପ୍ରେମୀ ଡାନିଏଲ ନାୟକ କହିଛନ୍ତି, ଗତ ବର୍ଷଠୁ ଜଙ୍ଗଲକୁ ଆବର୍ଜନା ମୁକ୍ତ ରଖିବା ପାଇଁ ନିରନ୍ତର ପ୍ରୟାସ ଚାଲିଛି। ଲୋକେ ଯେପରି ଏହି ମଧୁର ଜଳଭଣ୍ଡାରର ଗୁରୁତ୍ବ ବୁଝିବେ ଓ ଏହାର ସୁରକ୍ଷା ଦିଗରେ ଆନ୍ତରିକତା ଦେଖାଇବେ ସେନେଇ ଉଦ୍ୟମ କରାଯାଉଛି। କାନ୍ଥ ବାଡ଼, ଜଙ୍ଗଲ ପରିସରରେ ସଚେତନତା ବାର୍ତ୍ତା ଲେଖାଯାଇଛି। ତଥାପି କିଛି ଅସମାଜିକ ଓ ଅସଚେତନ ନାଗରିକଙ୍କ ଯୋଗୁ ଏଭଳି ଅଗ୍ନିକାଣ୍ଡ ବାରମ୍ବାର ଘଟୁଛି। ନିଜ ଖୁସି ଓ ମନୋରଂଜନ ପାଇଁ ଭୋଜି କରୁଥିଲେ ବି ନିଆଁ ଲିଭାଇବା ଯେ ସେମାନଙ୍କ ନୈତିକ ଦାୟିତ୍ବ ତାହା ଭୁଲିଯାଉଛନ୍ତି। ଗତ ୧୩, ୧୬, ୨୦ ଓ ୨୪ ତାରିଖରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିଲା। ୩ ଥର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଆଉ ଥରେ କିଛି ଛୋଟ ପିଲା ଓ ପରିବେଶପ୍ରେମୀ ନିଆଁ ଲିଭାଇଥିଲେ। ସଂଯୋଗବଶତଃ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଯିବାରୁ ନିଆଁ ଆୟତ୍ତ ହୋଇପାରିଥିଲା। ନିଆଁ ବେଶି ବାଟ ବ୍ୟାପିବା ପୂର୍ବରୁ ଆୟତ୍ତ କରାଯିବାରୁ ଜଙ୍ଗଲ ସିନା ରକ୍ଷା ପାଇଯାଇଛି, କିନ୍ତୁ ଆଗାମୀ ଦିନରେ ଯେ ବଡ଼ ଅଘଟଣ ନଘଟିବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ଅନ୍ତତଃ ଏହା ଉପରେ କଡ଼ାକଡ଼ି ନଜର ରଖିବା ଦିଗରେ ଗୁରୁତ୍ବ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର