କଟକ: କଟକର ପୁରୀଘାଟସ୍ଥିତ ଘରୋଇ ହସ୍ପିଟାଲ ‘ତ୍ରିଶା’ରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ପ୍ରାୟ ୪୫ ଜଣ ରୋଗୀ ଓ ସଦ୍ୟ ଜନ୍ମିତ ଶିଶୁଙ୍କୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରୁ ଉଦ୍ଧାର କରାଯାଇଛି। ଯଦିଓ ଏଯାଏ କୌଣସି ବଡ଼ ଅଘଟଣର ସୂଚନା ନାହିଁ, କିନ୍ତୁ ଶିଶୁ ଓ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଜି ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଜୀବନବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଆଁରେ ଝରକା କାଚ ସବୁ ଭାଙ୍ଗି ଚୂରମାର ହୋଇ ଭାଙ୍ଗିପଡୁଥିବା ବେଳେ ଏସ୍ଏନ୍ସିୟୁରେ ଥିବା ନବଜାତକ ଶିଶୁଙ୍କ ପରିବାରବର୍ଗଙ୍କ କାନ୍ଦ ବୋବାଳିରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ନିଆଁ ଓ ଧୂଆଁ ଭିତରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୫ଜଣ ଗୁରୁତର ରୋଗୀ ଓ ନବଜାତକ ଶିଶୁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନା ଓ ଶିଶୁଭବନକୁ ସ୍ଥାନାନ୍ତର କରିଥିଲେ। ଏସ୍ଏନ୍ସିୟୁରେ ଥିବା ଏକ ପେଟି ଭିତରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏହି ଶିଶୁର ଅଗ୍ନିକାଣ୍ଡ ପୂର୍ବରୁ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ରାସ୍ତା ଉପରେ ଅନେକ ଗୁରୁତର ରୋଗୀ ବସି ରହିଥିବାର ଦେଖିବାକୁ ମିଳିଥିଲଶ। ପ୍ରଥମ ମହଲାରେ ଥିବା ଅଫିସ କାର୍ଯ୍ୟାଳୟର କମ୍ପୁଟର ସିପିୟୁ ବା ଇନ୍ଭର୍ଟରର ବ୍ୟାଟେରୀ ଫାଟିଯିବା ଫଳରେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ ଉକ୍ତ ହସ୍ପିଟାଲରେ ବିଏସ୍କେୱାଇ ଯୋଜନାରେ ୩୪ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୧୧ଜଣ ରୋଗୀ ମଧ୍ୟ ଚିକିତ୍ସିତ ହେଉଥିଲେ। ଏସ୍ଏନ୍ସିୟୁରେ ୧୮ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ। ଉଦ୍ଧାର ହୋଇଥିବା ରୋଗୀଙ୍କ ମଧ୍ୟରୁ ଏସ୍ସିବିରେ ୧୭ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଥିରୁ ୨ଜଣ ଭେଣ୍ଟିଲେଟରରେ, ୨ଜଣ ଆଇସିୟୁରେ ଥିବାବେଳେ ବାକି ୧୦ଜଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଏପଟେ ଏସ୍ସିବିରେ ଥିବା ଏସ୍ଏନ୍ସିୟୁରେ ୩ଜଣଙ୍କୁ ଭର୍ତ୍ତି କରାଯାଇଛି। ସେହିପରି ଶିଶୁଭବନରେ ୧୫ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ସେଥିରୁ ୫ଜଣ ନବଜାତ ଶିଶୁଙ୍କୁ ଏସ୍ଏନ୍ସିୟୁରେ, ୫ଜଣଙ୍କୁ ଆଇସିୟୁ ଓ ୫ଜଣଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ୧୧ଜଣ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏହି ଅଗ୍ନିକାଣ୍ଡ ଖବର ପାଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବାବେଳେ ଉକ୍ତ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଅଗ୍ନିନିରାପତ୍ତା ପ୍ରମାଣପତ୍ର ରହିଥିବା ଜଣା ପଡିଛି। ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆଇନ୍ ଆଧାରରେ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଏହାର ପଂଜୀକରଣ ରହିଥିବା ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି। ଅନ୍ୟପଟେ ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ପ୍ରବଳ ଭିଡ ହେବାରୁ ରୋଗୀଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ପୁଲିସ ପ୍ରାୟ ସାଢେ ୩ଘଣ୍ଟା କାଳ ପୁରୀଘାଟ ରିଂ ବନ୍ଧର ଗୋଟିଏ ପଟ ରାସ୍ତାରେ ସାଧାରଣ ଗାଡିଚଳାଚଳ ବନ୍ଦ କରିଥିଲା। ନିଆଁ କେବଳ ଅଫିସ କାର୍ଯ୍ୟାଳୟରେ ଲାଗିଥିବା ବେଳେ ଦେଢଘଣ୍ଟା ଧରି ଧୂଆଁ ଆଣାୟତ୍ତ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି କୁହାଯାଉଛି। ଜିଲ୍ଲାପାଳ, ଡିସିପି, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳଠାରୁ ଆରମ୍ଭକରି ଏସ୍ସିବି, ଶିଶୁଭବନରେ ପରିସ୍ଥିତି ଉପରେ ନଜର ରଖିଥିଲେ। ଘଟଣାସ୍ଥଳରେ ବାରବାଟୀ-କଟକ ବିଧାୟିକା ଇଂଜିନିୟର ସୋଫିଆ ଫିର୍ଦ୍ଦୋସ, ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍, ସ୍ଥାନୀୟ କର୍ପୋରେଟର ବନଲତା ପ୍ରଧାନ, କର୍ପୋରେଟର ଗଗନ ଓଝାଙ୍କ ମମେତ ବହୁ ରାଜନେତା ପହଞ୍ଚି ଉଦ୍ଧାରକାର୍ଯ୍ୟ ଓ ବ୍ୟବସ୍ଥା ସଂପର୍କରେ ତର୍ଜମା କରିଥିଲେ। ପରେ ସାଂସଦ ଭର୍ତ୍ତୃହରି ମହତାବ ଶିଶୁ ଭବନ ଯାଇ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝି ଥିଲେ।
ଅନ୍ୟପଟେ ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା କହିବା ଅନୁଯାୟୀ ତ୍ରିଶା ଡାକ୍ତରଖାନାରେ ବୈଧ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ରହିଛି। ଗଲା ୮ ମାସ ତଳେ ଅଗ୍ନିଶମ କାର୍ଯ୍ୟାଳୟରୁ ନବୀକରଣ କରି ଏହି ସାର୍ଟିଫିକେଟ୍ ହାସଲ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ନିୟମ ଅନୁଯାୟୀ, ଡାକ୍ତରଖାନାରେ ଅଗ୍ନି ନିରାପତ୍ତ ସାମଗ୍ରୀ ବି ଥିଲା। କିନ୍ତୁ ସେହି ସମାଗ୍ରୀଗୁଡ଼ିକ ଠିକ୍ ସମୟରେ ବ୍ୟବହାର କରାଯାଇନଥିଲା। ଅଗ୍ନିଶମ ଟିମ୍ ଡାକ୍ତରଖାନାର କାର୍ଯ୍ୟାଳୟରେ ପଶି ଡାକ୍ତରଖାନାର ଦୁଇଟି ଫାୟାର ଏକ୍ସଟିଙ୍ଗଵିସର୍ ବ୍ୟବହାର କରିଥିଲା। ଏହା ସହିତ ନିଜର ଉପକରଣ ବ୍ୟହବହାର କରି ନିଆଁ ଲିଭାଇଥିଲା। ଆରମ୍ଭରୁ ଡାକ୍ତରଖାନାର କର୍ମଚାରୀ ଏକ୍ସଟିଙ୍ଗଵିସର୍ ବ୍ୟବହାର କରିଥିଲେ ନିଆଁ ଓ ଧୂଆଁ ଏତେ ବ୍ୟାପି ନଥାନ୍ତା ବୋଲି ଶ୍ରୀ ବେହେରା କହିଛନ୍ତି। ନିୟନ୍ତ୍ରଣ ହୋଇଯାଇଥାନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ବର: କଟକର ଏକ ଘରୋଇ ନର୍ସିଂହୋମ୍ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।