ବନାଗ୍ନି କମାଇଲା କାଳବୈଶାଖୀ: ୨୧୦ ସ୍ଥାନରେ ନିଆଁ, ୧୯ଟି ବଡ଼ଧରଣର

ଏବର୍ଷ ଶିମିଳିପାଳରେ ୧୧୫ଟି ଲାଗିଛି

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ଜଙ୍ଗଲ ନିଆଁ ହ୍ରାସ ପାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଲାଗିଥିବା ବନାଗ୍ନି କମିଛି। ତା’ସତ୍ତ୍ବେ ଆଜି ଦିନରେ ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି ରହିଛି। ଅପରାହ୍ଣ ସୁଦ୍ଧା ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ କୋରାପୁଟରେ ସର୍ବାଧିକ ୯୧ଟି ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ବ୍ରହ୍ମପୁର ସର୍କଲରେ ୧୭, ଭବାନୀପାଟଣା ସର୍କଲରେ ୧୨, ବାରିପଦା ସର୍କଲର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର, ରାଉରକେଲା, ଅନୁଗୁଳ ସର୍କଲର କେତେକ ସ୍ଥାନରେ ନିଆଁ ରହିଛି। ଗତ ସାତ ଦିନରେ ଓଡ଼ିଶାରେ ସର୍ବାଧିକ ୫,୯୮୭ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିବା ବେଳେ ଛତିଶଗଡ଼ରେ ୩,୦୬୦, ଝାଡ଼ଖଣ୍ଡରେ ୨,୪୯୬ଟି ସ୍ଥାନରେ ନିଆଁ ଲାଗିଛି। ଚଳିତ ସିଜିନ୍‌(ନଭେମ୍ବର ୧ରୁ ଆଜି ସୁଦ୍ଧା)ରେ ଓଡ଼ିଶାରେ ୧୪ହଜାର ୫୮୦ଟି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୭,୩୯୮ଟି ନିଆଁ ଲାଗିଥିବା ରିପୋର୍ଟ ହୋଇଛି।

ବଡ଼ଧରଣର ବନାଗ୍ନିରେ ଶୀର୍ଷରେ ଥିବା ଓଡ଼ିଶା ଆଜି ତଳକୁ ଖସିଛି। ଅପରାହ୍ଣ ଗୋଟାଏ ସୁଦ୍ଧା ଦେଶରେ ୧୫୦ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଥିବା ବେଳେ ସେଥିରୁ କେବଳ ଓଡ଼ିଶାରେ ୧୯ଟି ରହିଛି। ୩୬ଟି ବଡ଼ଧରଣର ବନାଗ୍ନି ସହ ଝାଡ଼ଖଣ୍ଡ ଶୀର୍ଷରେ ରହିଥିବା ବେଳେ ଉତ୍ତରାଖଣ୍ଡରେ ୨୯, ଛତିଶଗଡ଼ରେ ୧୧, ଉତ୍ତରପ୍ରଦେଶରେ ୧୦ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ରହିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସର୍କଲର ବିଶୋଇ ରେଞ୍ଜରେ ଦୁଇଟି ବଡ଼ଧରଣର ବନାଗ୍ନି ରହିଛି। ଗଜପତି ଜିଲ୍ଲାର ରାମଗିରି, କନ୍ଧମାଳ ଜିଲ୍ଲାର କୋଟାଗଡ଼, ସିମନ୍‌ବାଡ଼ି, ବାଲିଗୁଡ଼ା, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଟିକିରି, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରେଞ୍ଜରେ ୩ଟି ସ୍ଥାନ, ବୈପାରୀଗୁଡ଼ା, ମାଲକାନଗିରି ଜିଲ୍ଲାର ଚିତ୍ରକୋନା ଓ କାଲିମେଳା ରେଞ୍ଜ, ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରେ ନିଆଁ ଲାଗିଛି।

ସେପଟେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ଜଣାଇଛନ୍ତି ଯେ ଚଳିତ ସିଜିନ୍‌ରେ ଶିମିଳିପାଳରେ ମାତ୍ର ୧୧୫ଟି ବନାଗ୍ନି ପଏଣ୍ଟ ଚିହ୍ନଟ କରାଯାଇଛି। ଅଭୟାରଣ୍ୟର ସେଭଳି କୌଣସି କ୍ଷତି ହୋଇ ନାହିଁ। ୪୦ ଡିଗ୍ରି ତାପମାତ୍ରାରେ ବନ କର୍ମଚାରୀମାନେ ନିଆଁକୁ ଆୟତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁଖିଲା ପତ୍ରରେ ନିଆଁ ଲାଗିବା ଦ୍ବାରା ଗ୍ରାଉଣ୍ଡ ଫା‌ୟାର ହୋଇଛି। ବଡ଼ ଗଛରେ ନିଆଁ ଲାଗି ନାହିଁ। ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ ପାଇଁ ଓଡ୍ରାଫ୍‌ ଟିମ୍‌ ସବୁବେଳେ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର