ତାତି ବଢିବା ପରେ ଜଙ୍ଗଲକୁ ପୁଣି ଫେରିଲା ନିଆଁ, ୪ ଜିଲ୍ଲାର ୩୧୭ ସ୍ଥାନରେ ଲାଗିଛି ନିଆଁ

ବ୍ରହ୍ମପୁର: ଗତ ଦୁଇ ଦିନ ହେଲା ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ତାତି ବଢ଼ିବା ସାଙ୍ଗକୁ ପୁଣି ଜଙ୍ଗଲକୁ ନିଆଁ ଫେରିଛି। ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧରେ ହୁତ୍‌ ହୁତ୍‌ ହୋଇ ଜଳୁଛି ଜଙ୍ଗଲ। ଏହି ୪ଟି ଜିଲ୍ଲାର ଜଙ୍ଗଲର ୩୧୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବୁଧବାର ରାତି ସୁଦ୍ଧା କିଛି ଅଞ୍ଚଳରେ ନିଆଁ ଆୟତ୍ତକୁ ଆସିଛି।
ଗଞ୍ଜାମରେ ୩ଟି ବନଖଣ୍ଡ ରହିଛି। ବ୍ରହ୍ମପୁର ବନଖଣ୍ଡର ସାମନ୍ତିଆପଲ୍ଲୀ ରେଞ୍ଜର ତୁମ୍ବା, ତୁରୁବୁଡ଼ି ଆଦି ସ୍ଥାନର ୧୭ଟି ସ୍ଥାନରେ ନିଆଁ ଲାଗିଥିବା ଆଜି ସନ୍ଧ୍ୟା ସୁଦ୍ଧା ୧୩ଟି ସ୍ଥାନରେ  ନିଆଁ ଆୟତ୍ତ କରାଯାଇଥିବା ବନ ବିଭାଗ କହିଛି। ସେହିପରି ଘୁମୁସର (ଦକ୍ଷିଣ) ବନଖଣ୍ଡ ଅଧୀନ ୯ଟି ଓ  ଘୁମୁସର(ଉତ୍ତର) ବନଖଣ୍ଡ ଅର୍ନ୍ତଗତ ଜଙ୍ଗଲର ୮ଟି ଜାଗାରେ ନିଆଁ ଲାଗିଛି।  ସେହିପରି ଗଜପତି ଜିଲ୍ଲାର ୫୧ଟି ସ୍ଥାନରେ ନିଆଁ ଲାଗିଛି। ମହେନ୍ଦ୍ରଗିରି ପର୍ବତର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ସେହିପରି କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡର ୨୨ଟି ସ୍ଥା‌ନରେ ନିଆଁ ଲାଗିଥିବା ଜଣାପଡ଼ିଛି। ବାଲିଗୁଡ଼ା ବନଖଣ୍ଡର ସର୍ବାଧିକ ୨୦୭ ସ୍ଥାନରେ ନିଆଁ ଜଳୁଛି। ବୌଦ୍ଧ ଜିଲ୍ଲାର ବ‌ୌଦ୍ଧ ବନଖଣ୍ଡର ୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ସବୁ ଆୟତ୍ତ କରା ଯାଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଫେବ୍ରୃଆରିରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗଛ ପତ୍ରଝଡ଼ା ଦେବା ଆରମ୍ଭ କରିଛି। ବିଶେଷତଃ ଆମ ରାଜ୍ୟର ଜଙ୍ଗଲ ନିଆଁ ଗ୍ରାଉଣ୍ଡ ଫାୟାର ପର୍ଯ୍ୟାୟର। ଜଙ୍ଗଲରେ ପଡ଼ିଥିବା ପତ୍ରରେ କୌଣସି କାରଣରୁ ନିଆଁ ଲାଗିଲେ ତାହା ଚାରିଆଡ଼କୁ ବ୍ୟାପିଥାଏ। ବ୍ରହ୍ମପୁର ଆଞ୍ଚଳିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ କାର୍ଯ୍ୟାଳୟରେ ଫରେଷ୍ଟ ଫାୟାର ମନିଟରିଂ ୟୁନିଟ୍‌ ଖୋଲାଯାଇଛି। ଏଥିସହ ପ୍ରତି ବନଖଣ୍ଡ ଓ ବନାଞ୍ଚଳରେ ଜଙ୍ଗଲ ନିଆଁ ରୋକିବା ଲାଗି ମଧ୍ୟ ସ୍କ୍ବାଡ୍ ଗଠନ ହୋଇଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ବ୍ରହ୍ମପୁର ବନ ସର୍କଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିଲା। ଏହା ମାର୍ଚ୍ଚ ଦ୍ବିତୀୟ ସପ୍ତାହଯାଏ ଜାରି ରହିଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ଏବେ ତାତି ବଢ଼ିବା ପରେ ପୁଣି ଜଙ୍ଗଲରେ ନିଆଁ ଲାଗିଛି।
ସମ୍ବନ୍ଧିତ ଖବର