ପାରିବାରିକ କଳହରୁ ଯୁବକଙ୍କ ଉନ୍ମତ୍ତ କାଣ୍ଡ
ଅଳ୍ପକେ ବର୍ତ୍ତିଲା ପୁରୁଷୋତ୍ତମ ଏନ୍‌କ୍ଲେଭ୍‌

Advertisment

ଚନ୍ଦ୍ରଶେଖରପୁର : ଇନ୍‌ଫୋସିିଟି ଥାନା ଅଧୀନ ନନ୍ଦନ ବିହାରସ୍ଥିତ ପୁରୁଷୋତ୍ତମ ଏନକ୍ଲେଭ୍‌-୩ରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଏଥିରେ ୫ଟି ଦୁଇଚକିଆ ଗାଡ଼ି ସମେତ ଏକ ଓ୍ଵାଗନ୍‌ଆର୍‌ କାର୍‌ ଜଳି ଯାଇଛି। ତେବେ ପେଟ୍ରୋଲ ନିଆଁ ଆପାର୍ଟମେଣ୍ଟରେ ଅଧିକ କ୍ଷତି କରିବା ପୂର୍ବରୁ ଏହାକୁ ଆୟତ୍ତ କରାଯାଇଛି। ଅଳ୍ପକେ ବର୍ତ୍ତିଛନ୍ତି ଏଠାରେ ରହୁଥିବା ଲୋକେ। ପାରିବାରିକ କଳହରୁ ଜଣେ ଯୁବକ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେବାରୁ ଏଭଳି ଅଘଟଣ ଘଟିଥିବା ପୁଲିସ ଜାଣିବାକୁ ପାଇଛି।

ଶୁକ୍ରବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଅଘଟଣ ଘଟିଛି। ଅଭିଯୁକ୍ତ ଯୁବକଙ୍କ ନାମ ବିନୟ ଦାଶ(୩୪)। ପୁରୁଷୋତ୍ତମ ଏନକ୍ଲେଭ୍‌-୩ର ୫୦୨ନଂ ଫ୍ଲାଟ୍‌ରେ ଅଭିଯୁକ୍ତ ବିନୟ ନିଜ ମା’ଙ୍କ ସହିତ ରୁହେ। ଏହି ଫ୍ଲାଟ୍‌କୁ ଲାଗି ୫୦୧ ନଂ ଘରେ ରହନ୍ତି ରାମଚନ୍ଦ୍ର ପତି। ରାମଚନ୍ଦ୍ରଙ୍କ ପରିବାର ସହିତ ତାଙ୍କର କୌଣସି କାରଣରୁ ପାଟିଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ବିନୟ ଆପାର୍ଟମେଣ୍ଟ୍‌ ତଳେ ରଖାଯାଇଥିବା ରାମଚନ୍ଦ୍ରଙ୍କ ଗାଡ଼ିରେ ନିଆଁ ଲଗାଇଦେଇଥିଲା। ନିଆଁ ସାଙ୍ଗେ ସାଙ୍ଗେ ପାଖରେ ରଖାଯାଇଥିବା ଅନ୍ୟାନ୍ୟ ଗାଡ଼ିକୁ ମଧ୍ୟ ବ୍ୟାପିଯାଇଥିଲା।

ସଙ୍ଗେ ସଙ୍ଗେ ସେଠିକାର ବାସିନ୍ଦାମାନେ ଦମକଳ କେନ୍ଦ୍ରକୁ ଖବର ଦେବା ସହିତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଲିଭୁ ଲିଭୁ ୫ଟି ଦୁଇଚକିଆ ଗାଡ଼ି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଅଭିଯୁକ୍ତ ବିନୟକୁ ସ୍ଥାନୀୟ ଲୋକମାନେ ଅଟକ ରଖି ପୁଲିସ୍‌ର ଜିମା ଦେଇଥିଲେ। ଇନଫୋସିଟି ଥାନା ଆଇଆଇସି ବନିତା ମହାରଣା ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ପୁରୁଷୋତ୍ତମ ଏନକ୍ଲେଭ୍‌ ହାଉସ୍‌ଓନର୍‌ସ ଓ୍ଵଲ୍‌ଫେୟାର ସୋସାଇଟିର ସମ୍ପାଦିକା ସୁକାନ୍ତି ମହାନ୍ତି ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।

ଅଳ୍ପକେ ବର୍ତିଲେ ୮୦ ପରିବାର

ପୁରୁଷୋତ୍ତମ ଏନକ୍ଲେଭ୍‌ର ତିନିଟି ବ୍ଲକ୍‌ ରହିଛି। ଲାଗି ଲାଗି ରହିଥିବା ବ୍ଲକ୍‌ଗୁଡ଼ିକରେ ମୋଟ୍‌ ୮୦ ଟି ଫ୍ଲାଟ୍‌ ରହିଛି। ନିଆଁ ଲାଗିଥିବା ୩ ନମ୍ବର ବ୍ଲକ୍‌ରେ ୨୫ଜଣ ପରିବାର ରହୁଛନ୍ତି। ମାତ୍ର ନିଆଁ ଲାଗିଥିବା ଗାଡ଼ିଗୁଡ଼ିକ ସବୁ ପେଟ୍ରୋଲ୍‌ ଚାଳିତ ହୋଇଥିିବାରୁ ଏହା ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ଥିଲା। ଏପରିକି ନିଆଁ ଲାଗିଥିବା ବେସ୍‌ଫ୍ଲୋର୍‌ରେ ଧୂଆଁ ଭର୍ତି ହୋଇଯାଇଥିଲା। ମାତ୍ର ସେଠିକାର ବାସିନ୍ଦାଙ୍କ ସାହସ ଓ ଉପସ୍ଥିତି ବୁଦ୍ଧି ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଥିଲା।

ଅଗ୍ନିନିର୍ବାପକ ବ୍ୟବସ୍ଥା ଫେଲ୍‌

ନିଆଁ ଲାଗିଥିବା ଉକ୍ତ ସ୍ଥାନରେ ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଦୁର୍ଘଟଣା ସ୍ଥାନରେ ଏକ ନିଆଁଲିଭା ଯନ୍ତ୍ର ଥିଲେ ମଧ୍ୟ ତାହା କାମ କରୁ ନଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସେହିପରି ସୋସାଇଟିର ଅଧିକାରୀମାନେ ମଧ୍ୟ ନିଆଁ ଲିଭାଇବାରେ କୌଣସି ସହାୟତା କରି ନଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟ୍‌ର ଅଗ୍ନିନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ସେସମ୍ପର୍କରେ ଖୁବ୍‌ଶୀଘ୍ର ତଦନ୍ତ ହେବ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ମା’କୁ ଗାଳି ଦେବାରୁ ନିଆଁ ଲଗାଇଦେଲି

ମା’ ଛାତ ଉପରେ ବଗିଚା କରିଥିଲା। ମାତ୍ର ରାମଚନ୍ଦ୍ରଙ୍କ ପତ୍ନୀ ବଗିଚାକୁ ନଷ୍ଟ କରିଦେଉଥିଲେ। ମା’ ସହିତ ଝଗଡ଼ା କରି ତା’କୁ ଅପମାନିତ କରୁଥିଲେ। ତେଣୁ ରାଗରେ ଆସି ତାଙ୍କ ଗାଡ଼ିରେ ନିଆଁ ଲଗାଇଥିଲି। ମାତ୍ର ଅନ୍ୟମାନଙ୍କ ଗାଡ଼ିରେ ନିଆଁ ଲଗାଇବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ଅଭିଯୁକ୍ତ ଜଣଙ୍କ ପୁଲିସ୍‌ ଆଗରେ ପ୍ରକାଶ କରିଛି। ସାମୟିକ ଉତ୍ତେଜନାରୁ ଅଭିଯୁକ୍ତ ଜଣଙ୍କ ଏପରି କାଣ୍ଡ କରିଥିବା ଥାନାଧିକାରୀ ଶ୍ରୀମତୀ ମହାରଣା ପ୍ରକାଶ କରିଛନ୍ତି।