କୋରେଇ: ଧନେଶ୍ୱର ଛକ ବୁଲେଟ ଶୋରୁମ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଅଟୋରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ମାଲବାହୀ ଅଟୋଟି ପାଣିକୋଇଲି ଆଡୁ ଯାଜପୁରରୋଡ୍‌ ଆଡ଼େ ଆସୁଥିଲା। ଗାଡ଼ିର କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଇଂଜିନରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡ଼ିର ପଛଭାଗ ସଂପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା। ଅଟୋ ଚାଳକ ତଥା ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ରାସ୍ତାରେ ଯାଉଥିବା ଗାଡ଼ିମୋଟର ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଅଟକି ରହିଥିଲେ।

Advertisment

ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପର ସ୍ବେଚ୍ଛାସେବୀ ଅଶୋକ କୁମାର ଦାସ ସାହସ କରି ଅଟୋ ତଳକୁ ପଶିଯାଇ ନିଆଁକୁ ଆୟତ୍ତ କରିଥିଲେ। ତାଙ୍କର ଏହି ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଅଘଟଣ ଟଳିଯାଇଥିବାରୁ ସମସ୍ତେ ପ୍ରଶଂସା କରିଥିଲେ। ପୂର୍ବରୁ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା କରିଥିବାରୁ ଅଶୋକଙ୍କୁ ପରିବହନ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଗୁଡ୍‌ ସମାରିଟାନ’ ଭାବେ ସମ୍ମାନିତ କରାଯାଇଛି।