ହାଇକୋର୍ଟ ନିକଟରେ ଥିବା ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ

କଟକ : ହାଇକୋର୍ଟ ନିକଟରେ ଥିବା ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାରେ ଆଜି ଅଗ୍ନିକାଣ୍ଡ ଘଟିଛି। ତେବେ ଠିକ୍‌ ସମୟରେ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଏଡ଼ାଇ ଦିଆଯାଇ ପାରିଛି। କୌଣସି କାରଣରୁ ଆଜି ଦିନ ପ୍ରାୟ ୧ଟା ପାଖାପାଖି ସମୟରେ ଏକ ଡଷ୍ଟବିନ୍‌ରେ ନିଆଁ ଲାଗିଯାଇଥିଲା। ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାରେ ଫାଇଲ କାଗଜପତ୍ର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ରହିଥିବା ବେଳେ ସହଜରେ ନିଆଁ ଚାରି ଆଡ଼କୁ ବ୍ୟାପି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ପ୍ରାୟ ଏକ ଘଣ୍ଟା କାଳ ଅଫିସ ପରିସରରେ ଧାଁ ଦୌଡ଼ ପରିସ୍ଥିତି ଲାଗି ରହିଥିଲା।

ବୋର୍ଡ ଅଫ୍‌ ରେଭିନ୍ୟୁର ତୃତୀୟ ମହଲାର ବି ବ୍ଲକ୍‌ ନିକଟରେ ଥିବା ଜେନେରାଲ୍‌ ଟଏଲଟ୍‌ ପାଖରେ ଥିବା ଏକ ଡଷ୍ଟବିନ୍‌ରେ ଏଭଳି ହଠାତ୍‌ ନିଆଁ ଲାଗିଯାଇଥିଲା। ତୃତୀୟ ମହଲାରେ ନିଆଁ ଦେଖି ଅଧିକାରୀ, କର୍ମଚାରୀଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ଅଗ୍ନିଶମ କେନ୍ଦ୍ରକୁ ଖବର ଦେବା ପରେ ଉଭୟ ବକ୍ସିବଜାର ଏବ˚ ସିଡିଏ କେନ୍ଦ୍ରରୁ ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ତେବେ ଏସ୍‌ଟିଏ, କ୍ୟାଟ୍‌, ବୋର୍ଡ ଅଫ୍‌ ରେଭିନ୍ୟୁ, ସ୍ୟାଟ୍‌ କାର୍ଯ୍ୟାଳୟ, ଅବକାରୀ କମିସନରଙ୍କ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାରେ ଥିଲା ବେଳେ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ତ ଘଟିଲା, ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର