ପୋଡ଼ିଦେଲେ ବୋର୍ଡ ଅଫିସ୍‌

୨ ମୋଟର ସାଇକଲ, କାଗଜପତ୍ର ଜଳିଗଲା, ଅଜଣା ଓକିଲଙ୍କ ନାମରେ ଏତଲା

ସମ୍ବଲପୁର: ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ (ବୋର୍ଡ ଅଫିସ୍‌)କୁ ବୁଧବାର ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ସେମାନେ କାର୍ଯ୍ୟାଳୟ ଭିତରେ ଥିବା ୨ଟି ଦୁଇଚକିଆ ଯାନକୁ ସଂପୂର୍ଣ୍ଣ ପୋଡ଼ି ଦେଇଥିବାବେଳେ ବହୁ କାଗଜପତ୍ର ଜଳି ଛାରଖାର ହୋଇଯାଇଛି। ପୋଡ଼ିବା ପୂର୍ବରୁ ଦୁର୍ବୃତ୍ତମାନେ ଅଫିସ୍‌ର ଆଲମିରା, ଟେବୁଲ, ଚଉକି ଇତ୍ୟାଦି ଓଲଟାଇ ଭାଙ୍ଗିରୁଜି ଦେଇଥିଲେ। ଗାଡ଼ି ଦୁଇଟି ଏଭଳି ପୋଡ଼ିଥିଲା ଯେ ତାହା ତରଳି ଖଣ୍ଡଖଣ୍ଡ ହୋଇ ଯାଇଥିଲା। କେଉଁ କମ୍ପାନିର ଗାଡ଼ି, ନମ୍ବର କେତେ କିଛି ଜଣାପଡ଼ୁ ନାହିଁ। ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ବୁଧବାର ମାଟ୍ରିକ କରେସ୍‌ପଣ୍ଡେନ୍‌ସ କୋର୍ସ ପାଇଁ ଫର୍ମ ପୂରଣର ଶେଷ ତାରିଖ ଥିବ‌ାରୁ ପିଲାମାନେ ଆସି ଫର୍ମ ପୂରଣ କରୁଥିଲେ। ଦିନ ୨ଟାବେଳେ ଦୁର୍ବୃତ୍ତମାନେ ଆସି ବୋର୍ଡ କାର୍ଯ୍ୟାଳୟ ଭିତରେ ପଶିବା ସହ ପାଟିତୁଣ୍ଡ କରି ସମସ୍ତଙ୍କୁ ବାହାରି ଯିବାକୁ କହିଥିଲେ। କର୍ମଚାରୀମାନେ ବାହାରି ଯିବାମାତ୍ରେ ସେମାନେ ଅଫିସ୍‌ରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ଦେଖୁଦେଖୁ ନିଆଁ ଜୋରରେ ଧରିଥିଲା। ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ହୁତୁହୁତୁ ହୋଇ ଜଳି ଯାଇଥିଲା। କିଛି ସମୟ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଅନେକ କ୍ଷୟକ୍ଷତି ହୋଇ ସାରିଥିଲା।

ଖବର ପାଇ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ସଂଜୀବ ଅରୋରାଙ୍କ ସମେତ ପୁଲିସ୍ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗଣମାଧ୍ୟମ ସଦସ୍ୟଙ୍କ ଭିଡ଼ ଲାଗିଥିଲା। ନିଆଁ ଲିଭାଇବା ପରେ ଅଗ୍ନିଶମ କର୍ମଚାରୀମାନେ ଅଫିସ୍ ଭିତରେ ପଶି ପୋଡ଼ି ଯାଇଥିବା ଗାଡ଼ି, ଜିନିଷ ପତ୍ର ଆଦିକୁ ବାହାରକୁ କାଢ଼ି ଥିଲେ। ଘଟଣା ସଂପର୍କରେ ଅନୁସଂଧାନ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ସଂଜୀବ ଅରୋରା କହିଥିଲେ। ଘଟଣା ସଂପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଉପସଚିବ ସୂର୍ଯ୍ୟମଣି ମାଝୀଙ୍କ ତରଫରୁ ଧନୁପାଲି ଥାନାରେ ଏତଲା ଦାଏର କରାଯାଇଛି। ନିଜକୁ ଓକିଲ ବୋଲାଉଥିବା କିଛି ଅଜଣା ବ୍ୟକ୍ତି ଅଫିସ୍‌ରେ ପଶି ଗାଳିଗୁଲଜ, ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିବା ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ‘ସମ୍ବାଦ’କୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି ଅଫିସ୍ ବନ୍ଦ କରିବା ସମୟ ହୋଇଥିବାରୁ ଆମେ ବାହାରକୁ ବାହାରି ଅସିଥିଲୁ। ସେତିକିବେଳେ ୮-୧୦ ଜଣ ଲୋକ ପହଞ୍ଚି ଆମେ ଓକିଲମାନେ ସବୁ ଅଫିସ୍ ବନ୍ଦ କରିଥିଲାବେଳେ ତୁମେ କାହିଁକି ଖୋଲିଛ ବୋଲି ଗାଳିଗୁଲଜ କରି କାର୍ଯ୍ୟାଳୟ ଭିତରକୁ ପଶି ଭଙ୍ଗାରୁଜା, ପୋଡ଼ାଜଳା କରିଥିଲେ।‌ ସେମାନେ ଏତେ ଉଗ୍ର ଥିଲେ ଯେ ଆମେ ଭିିତରେ ଥିଲେ ଆମକୁ ବି ଆକ୍ରମଣ କରିଥାନ୍ତେ, ଅଳ୍ପକେ ଆମେ ରକ୍ଷା ପାଇଗଲୁ ବୋଲି ଶ୍ରୀ ମାଝି କହିଛନ୍ତି। ୨ଟି ହୋଣ୍ଡା ଆକ୍ଟିଭା ସ୍କୁଟର୍ ପୋଡ଼ିଥିଲା ବେଳେ ଗୋଟିଏ ତାଙ୍କର ଓ ଅନ୍ୟଟି ବୋର୍ଡର ସହକାରୀ ସଚିବ ଶୁଭାଶିଷ ସରକାରଙ୍କର ବୋଲି ସେ ସୂଚନା ଦେଇଛନ୍ତି। ସେହିପରି କଣ କାଗଜପତ୍ର ପୋଡ଼ିଛି ତାହା ଆସନ୍ତାକାଲି ଯାଞ୍ଚ କଲାପରେ ଜଣା ପଡ଼ିବ ବୋଲି ସେ କହିିଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ବହୁ ଦିନରୁ ଆନ୍ଦୋଳନ ଚଳାଇଛି। ୧୦୦ ଦିନରୁ ଅଧିକ ହେଲା ଓକିଲମାନେ ନ୍ୟାୟିକ ତଥା ରାଜସ୍ବ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରଖିଥି‌ଲାବେଳେ ଗତ ନଭେମ୍ବର ୧୭ ତାରିଖରୁ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌କୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ ରଖିଛନ୍ତି। ତେବେ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଓକିଲ ସଂଘ ସଭାପତିଙ୍କୁ ପିଲାଙ୍କ ଫର୍ମ ପୂରଣ ସଂପର୍କରେ ଲିଖିତଭାବେ ଜଣାଇ କିଛି ଦିନ ପାଇଁ ବୋର୍ଡ କାର୍ଯ୍ୟାଳୟକୁ ବନ୍ଦରୁ ଦେବା ପାଇଁ ଅନୁରୋଧ କରା ଯାଇଥିଲା ବୋଲି ଉପସଚିବ ଶ୍ରୀ ମାଝି ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାପାଳଙ୍କ ମୌଖିକ ଅନୁମତି ନେଇ ସେମାନେ ବୁଧବାର କାର୍ଯ୍ୟାଳୟ ଖୋଲିଥିଲାବେଳେ ଭିତର ପଟୁ ଫାଟକକୁ ଆଉଜି ଫର୍ମ ପୂରଣ କରୁଥିଲେ। କିଛି ପିଲା ଓ ଶିକ୍ଷକମାନେ ଫର୍ମ ପୂରଣ ଓ କାଗଜପତ୍ର ଦାଖଲ ପାଇଁ ଆସଥିଲେ।

ସମ୍ବନ୍ଧିତ ଖବର