ବିଏସ୍‌ଏନ୍‌ଏଲ୍‌ ଅଫିସରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଯନ୍ତ୍ରାଂଶ; ମୋବାଇଲ୍‌-ଲ୍ୟାଣ୍ତଲାଇନ୍‌ ସେବା ଠପ୍‌, ବ୍ରଡବ୍ୟାଣ୍ଡ୍‌ ବନ୍ଦ; ବ୍ୟାଙ୍କ୍‌ କାରବାର ପ୍ରଭାବିତ

କଟକ : କଟକ ବଜ୍ରକବାଟୀ ରୋଡସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୁଇ ମହଲାରେ ଥିବା ଯାନ୍ତ୍ରିକ ଉପକରଣ ଜଳି ପାଉଁଶ ହୋଇଯାଇଛି। ଫଳରେ, କଟକ ଜିଲ୍ଲାରେ ଉଭୟ ଲ୍ୟାଣ୍ତଲାଇନ୍‌, ମୋବାଇଲ୍‌ ସମେତ ବ୍ରଡବ୍ୟାଣ୍ଡ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ତିନି ଜଣ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ତେବେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସର୍ଟସର୍କିଟ୍‌ରୁ ଏ ପ୍ରକାର ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁର ପ୍ର‌କୋପ ଏତେ ପ୍ରଚଣ୍ଡ ଥିଲା ଯେ ଏହାକୁ ଲିଭାଇବା ପାଇଁ ୫ଟି ଦମକଳ ଗାଡ଼ି ଲାଗିଥିଲା।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧ଟା ବେଳେ ବଜ୍ରକବାଟୀ ବିଏସ୍‌ଏନ୍‌ଏଲ୍‌ ଅଫିସର ଦ୍ବିତୀୟ ମହଲାରେ ହଠାତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ତ ଘଟିଥିଲା। ଆଖି ପିଛୁଳାକେ ନିଆଁ ତୃତୀୟ ମହଲାକୁ ବି ବ୍ୟାପି ଯାଇଥିଲା। ଦୁଇ ମହଲାରେ କାମ କରୁଥିବା ପାଖାପାଖି ୫୦ ଜଣ କର୍ମଚାରୀ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିିଥିଲେ। ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇ ପହଞ୍ଚିଥିଲା। ପରେ ସିଡିଏ, ଚାଉଳିଆଗଞ୍ଜ ଏବ˚ ବକ୍ସିବଜାର କେନ୍ଦ୍ରରୁ ୫ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ସେତେବେଳକୁ କିନ୍ତୁ ନିଆଁ ହୁତହୁତ୍ ହେଇ ଜଳୁଥିଲା। ନିଆଁ‌ର ପ୍ରଭାବରେ ଧୂଆଁ ପରିମାଣ ଏତେ ଥିଲା ଯେ, ଭିତରେ ପଶି ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ୍‌ ‌ହୋଇପଡ଼ିଥିଲେ। ଶେଷରେ ଅଗ୍ନିଶମ କର୍ମଚାରୀ ଝରକା କାଚ ଭାଙ୍ଗି ପ୍ରଥମେ ଧୂଆଁ ବାହାରକୁ କାଢ଼ିବାକୁ ଉଦ୍ୟମ କରିଥିଲେ। ତିନି ମହଲା ଉପରେ ଝରକା ଭଂଗାଯାଉଥିବା ବେଳେ କାଚ ତଳେ ପଡ଼ିବାରୁ ଖବର ସ˚ଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ର˚ଜନ ମଲ୍ଲିକ, ପ୍ରଭୁକଲ୍ୟାଣ ପାଲ୍‌ ଏବ˚ ଅନ୍ୟ ଜଣେ ଆହତ ହୋଇଛନ୍ତି। ସେମାନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଆହତଙ୍କୁ ତୁରନ୍ତ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ, ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରା˚ଶ ପୋଡ଼ିଯାଇଥିବାରୁ ବିଏସ୍‌ଏନ୍‌ଏଲ୍‌ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଉପଭୋକ୍ତା ମୋବାଇଲ୍‌ କଲ୍‌ କରିପାରୁନାହାନ୍ତି। ଏପରିକି ବ୍ରଡବ୍ୟାଣ୍ଡ୍‌ ସେବା ବି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଥାନା, ଡାକ୍ତରଖାନା, ବ୍ୟାଙ୍କ ଏବ˚ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ପ୍ରଭାବିତ ହେଉଛି। କେବେ ପୁନଃ ସ˚ଯୋଗ କରାଯିବ, ସେ ନେଇ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଗ୍ନିକାଣ୍ତର ସ୍ଥିତି ଅନୁଧ୍ୟାନ ପାଇଁ ଡେପୁଟି ଫାୟାର ଅଫିସର ତ୍ରୈଲୋକ୍ୟ ବାବୁ, ସେଣ୍ଟ୍ରାଲ୍‌ ରେଞ୍ଜର ଫାୟାର ଅଫିସର ଭାବଗ୍ରାହୀ ଘଡେ଼ଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା କୁହାଯାଉଥିବା ବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ଜଣେ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର