ବର୍ଷା ପରେ ଶୋଇପଡ଼ିଲା ବନ ବିଭାଗ, ପୁଣି ବୁଢାରଜାରେ ଲାଗିଲା ନିଆଁ

ସମ୍ବଲପୁର : ବୁଢ଼ାରଜା ପାହାଡ଼ରେ ବୁଧବାର ପୁଣିଥରେ ନିଆଁ ଲାଗିଛି। ନିଆଁରେ ଜଳି ଅନେକ ଗଛ ନଷ୍ଟ ହୋଇଯାଇଥିବା ବେଳେ କିଏ ନିଆଁ ଲଗାଇଲା ତାର ପତ୍ତା ମିଳୁନାହିଁ। ପାହାଡରେ ପଡ଼ିଥିବା ଶୁଖିଲା ପତ୍ରକୁ କେହି ଦୁର୍ବୃତ୍ତ ନିଆ ଲଗାଇବାରୁ ତାହା ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ପାହାଡ଼ରେ ଥିବା ଶୁଖିଲା ବାଉଁଶ ଗଛ ଗୁଡ଼ିକ ହୁ ହୁ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ଖବର ଦେଲାପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡ଼ିଥିଲା। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତା ପୂର୍ବରୁ ଅନେକ ଗଛ ଜଳିଯାଇଥିବା ଜଣାପଡ଼ିଛି।

ତେବେ ଏହା ପୂର୍ବରୁ ମଧ୍ୟ ୧୦ ତାରିଖ ରାତିରେ ଏହି ପାହାଡ଼ରେ ନିଆଁ ଲାଗିଥିଲା। ଅନେକ ଗଛ ମଧ୍ୟ ଜଳି ନଷ୍ଟ ହୋଇଯାଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ଦେଖାରଖା ପାଇଁ କିଛି କର୍ମଚାରୀଙ୍କୁ ଏଠାରେ ଡ୍ୟୁଟି କରିବା ପାଇଁ ମଧ୍ୟ କହିଥିଲା। ଯେଉଁମାନେ ପାହାଡ଼କୁ ବୁଲି ଆସୁଛନ୍ତି ସେମାନଙ୍କର ନାମ ଏବଂ ଠିକଣା ଲେଖି ରଖିବା ପାଇଁ କହାଯାଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ଜଙ୍ଗଲରେ ଯେତେବେଳେ ହୁ ହୁ ହୋଇ ନିଆଁ ଜଳୁଥିଲା ବନ ବିଭାଗ ମଧ୍ୟ ମୁଣ୍ଡରେ ହାତ ଦେଇଥିଲା। ବହୁ କଷ୍ଟରେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲା। ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା। ଏହା ପରେ ପ୍ରକୃତି ମଧ୍ୟ ବର୍ଷା ମାଧ୍ୟମରେ ବନ ବିଭାଗର କାମକୁ ସହଜ କରିଦେଇଥିଲା।

କିନ୍ତୁ ତାପରେ ବନ ବିଭାଗ ହାଲକା ହୋଇ ଶୋଇ ପଡ଼ିଥିଲା। ଯଦି ପାହାଡ଼କୁ ବୁଲିବା ପାଇଁ ଆସୁଥିବା ଲୋକଙ୍କ ନାଁ ଓ ଠିକଣା ରଖା ଯାଉଥାନ୍ତା ତେବେ ହୁଏତ ଭୟରେ କେହି ନିଆଁ ଲଗାଇ ନଥାନ୍ତା। ତେବେ ନିର୍ଦ୍ଦେଶ ସତ୍ତ୍ବେ କେଉଁ କାରଣରୁ ବନ ବିଭାଗର କର୍ମଚାରୀ ମାନେ ସେଠାରେ ରହି ଲୋକଙ୍କ ନାଁ ଓ ଠିକଣା ଲେଖିଲେ ନାହିଁ ଏବଂ ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା। ]

ସମ୍ବନ୍ଧିତ ଖବର