ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା : ନୂଆଦିଲ୍ଲୀରୁ ରାଉରକେଲା ଦେଇ ଭୁବନେଶ୍ବର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଆଜି ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଫଳରେ ପ୍ୟାନେଲ୍‌ ବୋର୍ଡରୁ ପ୍ରବଳମାତ୍ରାରେ ଧୂଆଁ ବାହାରିଥିଲା। ତାହା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ମୂଷାମାନଙ୍କ ଯୋଗୁଁ ପ୍ୟାନେଲ୍‌ ବୋର୍ଡରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିବା ରେଳ କର୍ତୃପକ୍ଷ ସଫେଇ ଦେଇଛନ୍ତି।

ରାଜଧାନୀ ଏକ୍ସପ୍ରେସ୍‌ ଓଡ଼ିଶା ସୀମାନ୍ତ ଜରୈକେଲା ପାର୍‌ ହେବାପରେ ଏସି କୋଚ୍‌ ବି-୭ର ଟୟଲେଟ୍‌ ପାଖରେ ଥିବା ପ୍ୟାନେଲ୍‌ ବୋର୍ଡରୁ ନିଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। କିଛି ସମୟପରେ ନିଆଁ ଲିଭିଯାଇ ପ୍ରବଳମାତ୍ରାରେ ଧୂଆଁ ବାହାରିଥିଲା। ଏନେଇ ଯାତ୍ରୀମାନେ ଟ୍ରେନ୍‌ରେ ଡ୍ୟୁଟିରତ ରେଳ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ। ମାତ୍ର ରେଳ କର୍ମଚାରୀ ପ୍ରଥମେ କୁଆଡ଼େ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ। ଟ୍ରେନ୍‌ ପ୍ରାୟ ୨୦ କିଲୋମିଟର ଅତିକ୍ରମ କଲାପରେ ପୁନର୍ବାର ଉକ୍ତ ପ୍ୟାନେଲ୍‌ ବୋର୍ଡରୁ ନିଆଁ ଓ ଧୂଆଁ ନିର୍ଗତ ହୋଇଥିଲା। ଏହାପରେ ଯାତ୍ରୀମାନଙ୍କ ଭିତରେ ପ୍ରବଳ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ପୁଣି ରେଳ କର୍ମଚାରୀଙ୍କୁ ଅବଗତ କଲାପରେ ଟ୍ରେନ୍‌ ତିଲକାନଗରରେ ରହିଥିଲା। ରେଳ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଯାଞ୍ଚ କରିଥିଲେ। ତା’ପରେ ଝର୍କା କାଚ ଭଙ୍ଗାଯାଇ କୋଚ୍‌ ଭିତରୁ ଧୂଆଁକୁ ବାହାର କରାଯାଇଥିଲା। ଏସବୁ ପରେ ରେଳ କର୍ମଚାରମାନେ ଟ୍ରେନ୍ ସଂପୂର୍ଣ୍ଣ ବିପଦମୁକ୍ତ ଥିବା କହି ଯାତ୍ରୀମାନଙ୍କୁ ବୁଝାଇଥିଲେ। କିନ୍ତୁ ସେତେବେଳେ ମଧ୍ୟ ଧୂଆଁ ବାହାରିବା ଜାରି ରହିଥିଲା। ସେଭିତରେ ଦିନ ପ୍ରାୟ ୧ଟା ୨୦ରେ ଟ୍ରେନ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ରେଳବାଇର ଇଲେକ୍ଟ୍ରିକାଲ ଓ ଟେକ୍ନିକାଲ ଟିମ୍‌ ପ୍ରାୟ ୪୪ ମିନିଟ୍‌ ପରିଶ୍ରମ କରି ପ୍ୟାନେଲ୍‌ ବୋର୍ଡକୁ ମରାମତି କରିଥିଲେ। ପରେ ବି-୭ କୋଚ୍‌ରେ ଯାତ୍ରା କରୁଥିବା ୭୨ଜଣ ଯାତ୍ରୀଙ୍କୁ ଅନ୍ୟ କୋଚ୍‌ରେ ଯିବାକୁ ଏସ୍‌ପି, ଷ୍ଟେସନ ମାଷ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅନୁରୋଧ କରିଥିଲେ। ପ୍ରାୟ ୪୦ଜଣ ଯାତ୍ରୀ ସେଥିରେ ରାଜି ହେବାରୁ ସେମାନଙ୍କୁ ବି-୧୦ ସମେତ ଅନ୍ୟାନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଥିଲା। ଅବଶିଷ୍ଟ ୩୨ ଜଣ ଯାତ୍ରୀ ସେହି ବଗିରେ ଯାତ୍ରା କରିଥିଲେ। ଫଳରେ ଟ୍ରେନ୍‌ ଅଧଘଣ୍ଟା ବିଳମ୍ବରେ, ଅର୍ଥାତ୍‌ ଦିନ ୨ଟା ୧୫ରେ ରାଉରକେଲା ଷ୍ଟେସନରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା।

ସମ୍ବନ୍ଧିତ ଖବର