ମାଲବାହୀ ଟ୍ରେନ୍‌ରେ ନିଆଁ

ଢେଙ୍କାନାଳ : ଗୁରୁବାର ମଧ୍ୟାହ୍ନରେ ତାଳଚେରରୁ ଭଦ୍ରକ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ୱାଗନ୍‌ରେ ନିଆଁ ଲାଗିଯିବାରୁ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା। ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଢେଙ୍କାନାଳ ରେଳ ଷ୍ଟେସନ୍‌ରେ ପହଂଚି ତୁରନ୍ତ ନିଆଁ ଲିଭାଇବା ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଟ୍ରେନ୍‌ଟି ଅଳ୍ପକେ ବର୍ତ୍ତିଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏହା ଘଟିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଯିବା ପରେ ମାଲବାହୀ ଟ୍ରେନ୍‌ଟି ଦୁଇଗଣ୍ଟା ବିଳମ୍ବରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।

ସୂଚନା ଅନୁଯାୟୀ, ଗୁରୁବାର ପୂର୍ବାହ୍ଣରେ ତାଳଚେରରୁ କୋଇଲା ବୋଝେଇ କରି ଏହି ଟ୍ରେନ୍ ଭଦ୍ରକ ଅଭିମୁଖେ ବାହାରିଥିଲା। ଟ୍ରେନ୍‌ଟି ଢେଙ୍କାନାଳ ମୁଖ୍ୟ ରେଳଷ୍ଟେସନଠାରେ ଦିନ ପ୍ରାୟ ସାଢେ ୧୨ ଟାବେଳେ ପହଞ୍ଚିଥିଲା। ଏହାର ଗୋଟିଏ ୱାଗନ୍‌ରୁ ଧୂଆଁ ବାହାରୁଥିବା ଷ୍ଟେସନ ମାଷ୍ଟର ଦେଖିଥିଲେ। ସେ ଟ୍ରେନ୍‌କୁ ଅଟକାଇ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥିସହ ତାଳଚେର ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜଣାଇ ଟ୍ରେନ୍‌ର ବିଦ୍ୟୁତ୍‌ ଲାଇନ୍ ବିଚ୍ଛିନ୍ନ କରାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ଏହାପରେ ଢେଙ୍କାନାଳ ଷ୍ଟେସନ ମାଷ୍ଟର ତାଳଚେର କର୍ତୃପକ୍ଷଙ୍କୁ ଜଣାଇବାରୁ ପୁନର୍ବାର ସେଠାରୁ ଟ୍ରେନ୍‌ ବିଦ୍ୟୁତ୍ ଲାଇନ୍ ସଂଯୋଗ କରାଯାଇଥିଲା। ଫଳରେ ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ଟ୍ରେନ୍ ଢେଙ୍କାନାଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ବାହାରିଥିଲା। ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର