କୋଭିଡ୍‌ ହସ୍ପିଟାଲରେ ନିଆଁ, ୧୨୭ ରୋଗୀ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ହସ୍ପିଟାଲର ନଥିଲା ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌

କଟକ-ଜଗତପୁର : କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲ ଆଜି ଅଗ୍ନିକାଣ୍ଡ ଘଟିଛି। ରାଜ୍ୟରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏହାକୁ ନେଇ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ଅନ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ହୋଇଥିବା ସମସ୍ତ ରୋଗୀଙ୍କୁ ଅବସ୍ଥା ଏଯାଏ ସ୍ଥିର ଥିବା କୁହାଯାଉଛି।

ଆଜି ଦିନ ପ୍ରାୟ ଗୋଟାଏ ପାଖାପାଖି ସମୟରେ ହସ୍ପିଟାଲ ଆଇସିୟୁ ଏସିରେ ସଟ୍‌ସର୍କିଟ ହୋଇଥିଲା। ପରେ ପରେ ଦୁଇଟି ଅକ୍ସିଜେନ ସିଲିଣ୍ଡର ଫାଟି ଥିବା କୁହାଯାଉଛି। ଏହାକୁ ନେଇ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯିବା ସହିତ କିଛି ରୋଗୀ ଧାଁଦୌଡ କରିବା ଆରମ୍ଭ କରିଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀ ଅବଶ୍ୟ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତୃତୀୟ ମହଲାରୁ ରୋଗୀଙ୍କୁ ସତର୍କତାର ସହିତ ତଳକୁ ଆଣି ୧୦୮ ଓ ୧୦୨ ଆମ୍ବୁଲାନ୍ସରେ ବିଭିନ୍ନ ହସ୍ପିଟାଲକୁ ପଠାଇଥିଲେ।

ଏଥିରେ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ବି କରୋନାକୁ ଖାତିର ନ କରି ସହାୟତାର ହାତ ବଢ଼ାଇଥିଲେ।

ସୂଚନା ଅନୁଯାୟୀ ୧୫୦ ବେଡ ବିଶିଷ୍ଟ ଏହି ହସ୍ପିଟାଲରେ ଏବେ ୧୨୭ ‌ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ ଆଇସିୟୁରେ ଥିଲେ। କିଡନି ସଂକ୍ରମିତ, ଗର୍ଭବତୀ ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ୟାସ ବାହାରିବା ଘଟଣାକୁ ସ୍ବୀକାର କରିଥିଲେ ବି ନିଆଁ ଲାଗିବା ଘଟଣାକୁ ଅସ୍ବୀକାର କରିଛନ୍ତି। କିନ୍ତୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ହସ୍ପିଟାଲରେ ନିଆଁ ଲାଗିଥିଲା କିନ୍ତୁ ତାହାକୁ ତୁରନ୍ତ ନିୟନ୍ତ୍ରଣ କରି ଦିଆଯାଇଥିବା କହିଛନ୍ତି। ହସ୍ପିଟାଲର ଅଗ୍ନି ସୁରକ୍ଷା ସାର୍ଟିଫିକେଟ ନଥିଲା। ଏଥିପାଇଁ କିଛି ସମସ୍ୟା ଥିବା ବେଳେ ତାହାକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା ବୋଲି ‌ଶ୍ରୀ ସେଠୀ କହିଛନ୍ତି।

ହସ୍ପିଟାଲରେ ଅଗ୍ନିକାଣ୍ଡ ଖବର ପାଇ ସେଠାରେ ଆରଡିସି ଅନିଲ କୁମାର ସାମଲ, ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଜିଲ୍ଲାପାଳ ଭାବନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ପ୍ରମୁଖ ପହଞ୍ଚିଥିଲେ। ଘଟଣାର ୨୪ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଥିବା ବେଳେ ଆରଡିସି ଅନିଲ କୁମାର ସାମଲ ମଧ୍ୟ ଏ ସଂପର୍କରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀମାନଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲ, ସନ୍ ଓ ସୃଷ୍ଟି ହସ୍ପିଟାଲକ ପଠାଯାଇଥିବା ବେଳେ ଲକ୍ଷଣ ନଥିବା ରୋଗୀଙ୍କୁ ଡ୍ରିମସ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ୧୫ ଜଣ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନରେ ଯିବାକୁ କୁହାଯାଇଛି। ସେମାନଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆରଡିସି ଅନିଲ କୁମାର ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିବା ଅନୁଯାୟୀ ଅନ୍ୟ ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏଭଳି ଦୁର୍ଘଟଣାର ଯେଭଳି ପୁନରାବୃତ୍ତି ନ ଘଟିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର