ଜଳେଶ୍ୱର: ଚକଡ଼ା ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବାରୁ ଜମିରେ ନିଆଁ ଲଗାଇ ଦେଇଛନ୍ତି ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ଗାଁ’ର ଚାଷୀ ଶୀତଳ ପ୍ରସାଦ ମହାନ୍ତି। ସୂଚନା ମୁତାବକ, ଶୀତଳଙ୍କ ନିଜସ୍ବ ମାଲିକାନା ସ୍ବତ୍ବରେ ୪ ଡେସିମିଲ୍ ଜମି ରହିଥିବାବେଳେ ଚଳିତବର୍ଷ ଖରିଫ ଋତୁରେ ସେ ଗାଁ’ର ସୁରେନ୍ଦ୍ର ବେହେରା ଓ ଭବାନୀ ଶଙ୍କର ମହାନ୍ତିଙ୍କର ଗୋଟିଏ ଏକର ଜମିକୁ ଭାଗସୂତ୍ରରେ ଆଣି ଧାନଚାଷ କରିଥିଲେ। ଭାଗ ବାବଦରେ ଜମି ମାଲିକଙ୍କୁ ୫ ହଜାର ଟଙ୍କା ଦେବେ ବୋଲି କଥା ଛିଡ଼ିଥିଲା।
ଚାଷ ପାଇଁ ଶୀତଳ ଓ ତାଙ୍କ ପରିବାର ବହୁ ପରିଶ୍ରମ କରିଥିବାବେଳେ ବିହନ, ସାର, କୀଟନାଶକ ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଧାନ ପାଚିବା ସମୟରେ କାଳ ସାଜିଲା ଚକଡ଼ା ପୋକ। ମାତ୍ର ଦିନ କେଇଟା ମଧ୍ୟରେ ଏକର ଆୟତନ ବିଶିଷ୍ଟ ଦୁଇ ଖଣ୍ଡ ଜମିର ଫସଲ ସମ୍ପୂର୍ଣ୍ଣ ଶୁଖିଯାଇଥିଲା। ଫଳରେ ଅମଳ ଆଶା ନଦେଖି ଶୀତଳ ଆଜି ଜମିରେ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲଗାଇବା ସମୟରେ ଶୀତଳ ଭୋଭୋ ହୋଇ କାନ୍ଦିଥିଲେ। ଜମି ମାଲିକଙ୍କୁ ଦେଇଥିବା କଥା ମୁତାବକ ପାଞ୍ଚ ହଜାର ଟଙ୍କା କେମିତି ଦେବେ ଓ ଚାଷ ପାଇଁ ଋଣ ଆଣିଥିବା ୩୦ ହଜାର ଟଙ୍କା କିପରି ଶୁଝିବେ, ସେହି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଶୀତଳ।