ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଗ୍ନିକାଣ୍ଡ

କୋଟିଏ ଟଙ୍କାର ସଂପତ୍ତି ନଷ୍ଟ
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: କମାଣ୍ଡେଣ୍ଟ

ରାୟଗଡ଼ା : ରାୟଗଡା ସ୍ଥିତ ୪ର୍ଥ ବାଟାଲିୟନ ସିଆର୍‌ପିଏଫ୍‌ କ୍ୟାମ୍ପରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା। ଏହାଫଳରେ କୋଟିଏରୁ ଊର୍ଧ୍ୱ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ନିଆଁରେ କ୍ୟାମ୍ପ୍‌ ଭିତରେ ଥିବା ୩ଟି ଗୋଦାମ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କ୍ଷୟକ୍ଷତିର ପରିମାଣ ନେଇ ଆକଳନ ଚାଲିିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ବି ସ୍ପଷ୍ଟ ହୋଇପାରି ନାହିଁ। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସଟ୍‌ ସର୍କିଟ ହୋଇ ନିଆଁ ଲାଗିଥାଇପାରେ ବୋଲି କୁହାଯାଉଛି। ଅଗ୍ନିକାଣ୍ଡରୁ ଅସ୍ତ୍ରାଗାର ବର୍ତ୍ତି ଯାଇଛି। କୌଣସି ଯବାନଙ୍କୁ ବି କ୍ଷତି ପହଞ୍ଚି ନାହିଁ। ଅଗ୍ନିକାଣ୍ଡରେ କମ୍ବଳ, ଇଆଇସି ଗରମ ପୋଷାକ, ୫୦ଟି ଟେଣ୍ଟ, ୩୦ଟି ଆଲମାରି, ଯବାନଙ୍କ ଜୋତା ବାକ୍ସ, ନୂଆ ପୋଷାକ, ଟାୟାର, ମୂଲ୍ୟବାନ ଆସବାବପତ୍ର, ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷପତ୍ର ପୋଡ଼ିଯାଇଥିବା ସୂଚନା ଦିଆଯାଇଛି।

ରାତି ପ୍ରାୟ ଗୋଟିଏ ବେଳେ ଏଠାରେ ନିଆଁ ଲାଗିଥିବା ଜଣାପଡିଥିଲା। ଯବାନମାନେ ତତ୍ପରତା ପ୍ରକାଶ କରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଆଖି ପିଛୁଳାକେ ୩ଟି ଷ୍ଟୋର ରୁମରେ ଗଚ୍ଛିତ ଥିବା ମୂଲ୍ୟବାନ ଜିନିଷ ପତ୍ର ହୁତ୍‌ହୁତ୍‌ ହୋଇ ଜଳି ପାଉଁଶ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ଦଳ ଘଟଣା ସ୍ଥଳରେ ପହଞ୍ଚି ଯବାନଙ୍କ ସହାୟତାରେ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ୩ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବଡଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ ଅସ୍ତ୍ରାଗାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପତ୍ର ସୁରକ୍ଷିତ ରହିଛି। ଅଗ୍ନିକାଣ୍ଡର ତୀବ୍ରତା ଏତେ ଜୋର ଥିଲା ଯେ ନିକଟରେ ଥିବା ଗୋଟିଏ ବଡ଼ ଗଛ ମଧ୍ୟ ପୋଡ଼ି ଯାଇଥିଲା।

ସମଗ୍ର କ୍ୟାମ୍ପ କଡ଼ା ସୁରକ୍ଷା ବଳୟରେ ରହିଥିବା ବେଳେ କୋଉଁଠୁ ଓ କେମିତି ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଲା ତାହାର କୌଣସି ଟେର ମିଳିପାରିନାହିଁ। ସମସ୍ତେ ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରୁଛନ୍ତିି। ଅଗ୍ନିକାଣ୍ଡ ସଂପର୍କରେ ୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ୱାଇ.କେ ରାଜପୁତ ସୂଚନା ଦେଇ କହିଛନ୍ତି ଯେ କେଉଁ କାରଣରୁ ଏତେ ବଡ ଘଟଣା ଘଟିଛି ଏବଂ ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟକୁ ଆଧାର କରି ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଅଗ୍ନିଶମ ସେବା କର୍ମଚାରୀ ଓ ସିଆରପିଏଫ ଯବାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବଡ଼ ଧରଣର ଅଘଟଣକୁ ଆୟତ୍ତ କରାଯାଇଛି। ସେହିପରି ଘଟଣା ପରେ ଯବାନମାନେ ଅସ୍ତ୍ରାଗାର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଥିଲେ ବୋଲି କମାଣ୍ଡେଣ୍ଟ ଶ୍ରୀ ରାଜପୁତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର