ଧାମରା ଏଲ୍ଏନ୍‌ଜି ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ : କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିଗଲା

୧୧ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣାଧୀନ

ଧାମରା : ଭଦ୍ରକ ଜିଲ୍ଲା ଧାମରା ଏଲ୍‌ଏନ୍‌ଜି ଗ୍ୟାସ୍ ଟର୍ମିନାଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ପାଖାପାଖି ୧୧ ଘଣ୍ଟାର ଝାଳବୁହା ପରିଶ୍ରମ ପରେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ ଲିଭାଇବା କାର୍ଯ୍ୟରେ ୭ ଦମକଳ ଗାଡ଼ି ସହିତ ଶତାଧିକ କର୍ମଚାରୀ ନିୟୋଜିତ ହୋଇଥିଲେ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏଲ୍‌ଏନ୍‌ଜି ଟର୍ମିନାଲ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା। ପ୍ରଥମେ ଆସବାବପତ୍ରରେ ନିଆଁ ଧରିଥିଲା। ପରେ ପ୍ଲାଷ୍ଟିକ୍, ପ୍ଲାଏ, ରବର ଓ ସୋଲ ଜଳିଥିଲା। ଚାହୁଁଚାହୁଁ ଚାରିଆଡ଼କୁ ମାଡ଼ି ଯାଇଥିଲା ନିଆଁ। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଗ୍ୟାସ୍‌ଟାଙ୍କି ଫାଟି ଯାଇଥିଲା ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି। ଏଲ୍‌ଏନ୍‌ଜି ଟର୍ମିନାଲ୍‌ ଟ୍ୟାଙ୍କ-୨ର ଗ୍ରାଉଣ୍ଡ ଫ୍ଲୋର୍‌ରେ ସମସ୍ତ ଆସବାବପତ୍ର ସହ ବହୁମୂଲ୍ୟ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରବିବାର ଥିବାରୁ ଅଳ୍ପ ଶ୍ରମିକ କାମ କରୁଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ। ନିଆଁ ଲାଗିବାର ସଠିକ୍‌ କାରଣ କିଛି ଜଣାପଡ଼ିନଥିବା ବେ‌ଳେ କମ୍ପାନି ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ତେବେ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ କର୍ମଚାରୀ ସନ୍ଦେହ କରୁଛନ୍ତି। ଏ ସଂକ୍ରାନ୍ତରେ କମ୍ପାନି ପକ୍ଷରୁ କିଛି ଅଭିଯୋଗ ହୋଇନଥିବା ବେଳେ ଆଜି କାମ ବନ୍ଦ ରହିଛି। ୩ ବର୍ଷ ମଧ୍ୟରେ ଏହା ଦ୍ବିତୀୟ ଅଗ୍ନିକାଣ୍ଡ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର