ଧାନଘରା ସଂରକ୍ଷିତ ଜଙ୍ଗଲରେ ନିଆଁ, ଗୋଚ୍ଛା କଟା ନାଁରେ ବିଲ୍‌ ହେବା ଆଶଙ୍କା

ତୁଷୁରା : ତୁଷୁରା ଓ ଧାନଘରା ରାସ୍ତା ଡାହାଣ ପଟରେ ଥିବା ଧଣ୍ତିମୁଣ୍ତି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଉକ୍ତ ଜଂଗଲର ଚାରି ପଟରୁ ନିଆଁ ଲାଗିଥିବାରୁ ଛୋଟ ଛୋଟ ଗଛଗୁଡ଼ିକ ପୋଡ଼ିଯାଇଛି ଏବଂ ବଡ଼ ଗଛଗୁଡ଼ିକ ନିଆଁରେ ଝାଉଁଳି ଯାଇଛି। ନିଆଁକୁ ଧାନଘରା ଗ୍ରାମବାସୀ ଲିଭାଇଥିଲେ। ବନ ବିଭାଗର ୧୦ ଜଣ ଫାୟାର ସ୍କ୍ବାଡ଼ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭାଇଲା ପରେ ମଧ୍ୟ ଦୁର୍ବୃତ୍ତମାନେ ପୁଣି ନିଆଁ ଲଗାଇ ଦେଉଥିବାରୁ ଏପରି ଅବସ୍ଥା ହୋଇଛି, ଏହାର ତଦନ୍ତ ଚାଲିଛି ବୋଲି ଗୁଡ଼ଭେଲା ଫରେଷ୍ଟର ଦାୟିତ୍ବରେ ଥିବା ବାବୁଲି ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସରକାରଙ୍କ ତରଫରୁ ଗୋଚ୍ଛାକଟା ଚାଲିଛି। ଏଥିରେ ଲାଭ ପାଇବାକୁ ଥିବା କିଛି ଦୁର୍ବୃତ୍ତ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ପରେ ଗୋଚ୍ଛାକଟା ନାଁରେ ବିଲ୍‌ କରେଇନେବାର ଅଭିସନ୍ଧି ଥାଇପାରେ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେଣୁ ଉକ୍ତ ନିଆଁକୁ ଶୀଘ୍ର ଲିଭାଇବା ସହ ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର