ଢେଙ୍କାନାଳ ମେଡିକାଲ୍ କୋଠାରେ ନିଆଁ

ଢେଙ୍କାନାଳ : ରୋଗୀମାନେ ଯାହା ଆଶଙ୍କା କରୁଥିଲେ ଶେଷରେ ସେୟା ହିଁ ଘଟିଲା। ପାଞ୍ଚ ମହଲା ଉପରେ ଚାଲିଥିବା ବେଆଇନ କ୍ୟାଣ୍ଟିନରୁ ଲାଗିଲା ନିଆଁ। ଚାହୁଁ ଚାହୁଁ ନିମିଷକ ମଧ୍ୟରେ ଢେଙ୍କାନାଳ ନୂଆ ମେଡିକାଲ୍‌ ବିଲ୍ଡ଼ିଂ ହୋଇଗଲା ଧୂଆଁମୟ। ଖେଳିଗଲା ଭୟ ଓ ଆତଙ୍କ। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂଘଟିତ ଏଭଳି ଏକ ଅଗ୍ନିକାଣ୍ଡ ଚିକିତ୍ସାରତ ରୋଗୀ ତଥା ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଥିଲା। ଠିକଣା ସମୟରେ ନିଆଁକୁ ଆୟତ୍ତ କରାଯିବାରୁ ଯଦିଓ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ, କିନ୍ତୁ ପାଞ୍ଚ ମହଲା ବିଲ୍ଡ଼ିଂ ଉପରେ କେଇଟା ମୁହୂର୍ତ୍ତର ନିଆଁ ଭୟ ଭୁବନେଶ୍ବର ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡକୁ ତାଜା କରି ଦେଇଛି।

ଉଲ୍ଲେଖଯୋଗ୍ୟ, ୪୭କୋଟି ବ୍ୟୟରେ ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼୍‌‌େର ସରକାରଙ୍କ ପକ୍ଷରୁ ୭ମହଲା ବିଶିଷ୍ଟ ନୂଆ ମେଡିକାଲ୍ ବିଲ୍ଡ଼ିଂ କରାଯାଇଛି। ଅତ୍ୟାବଶ୍ୟକ ବ୍ୟବସ୍ଥା ନ କରି ଅତ୍ୟନ୍ତ ତରବରିଆ ଭାବେ ବାଜିଚୌକ୍‌ ସ୍ଥିତ ପୁରୁଣା ପରିସରରୁ ଡାକ୍ତରଖାନାକୁ ଏହି ନୂଆ କୋଠାକୁ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଥିଲା। ଏ ପ୍ରକାର ଅବ୍ୟବସ୍ଥା ଭିତରେ ପାଞ୍ଚ ମହଲା ବିଲ୍ଡ଼ିଂ ଉପରେ ବେଆଇନ୍ କ୍ୟାଣ୍ଟିନ୍ କରିବାକୁ ଭିତିରି ଅନୁମତି ଦିଆଯାଇଥିଲା। କୌଣସି ଟେଣ୍ଡର କରାଗଲା ନାହିଁ କି, ଅଗ୍ନି ନିରାପତ୍ତାକୁ ବି ଭ୍ରୁକ୍ଷେପ କରାଗଲା ନାହିଁ। ଫଳ ସ୍ବରୂପ ଆଜି ଏକ ଭୟଙ୍କର ଅଗ୍ନିକାଣ୍ଡରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଳ୍ପକେ ବର୍ତ୍ତିଯାଇଛି। ପୂର୍ବାହ୍ଣ ପ୍ରାୟ ସା‌େଢ଼ ୧୧ଟା ବେଳେ ଗ୍ୟାସରେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନରେ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଜଳି ଉଠିଥିଲା। କିଛି ସମୟ ମଧ୍ୟରେ ଚାରିଆଡ଼େ ଧୂଆଁ ଖେଳିଯାଇଥିଲା। ହଠାତ୍ ଏମିତି ଧୂଆଁ ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇ ପଡ଼ି‌ଥିଲେ। ପ୍ରାଣ ବିକଳରେ ଚାରିଆଡ଼େ ଧାଁ ଦୌଡ଼ କରିଥିଲେ। ଠିକଣା ସମୟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବିରାଟ ବିପଦ ଆଜି ଟଳିଯାଇଥିଲା। ଭୟଙ୍କର ଅଗ୍ନିକାଣ୍ଡରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଳ୍ପକେ ବର୍ତ୍ତିଯାଇଥିଲା। କେବଳ ପଞ୍ଚମ ମହଲାର କାନ୍ଥ, ବିଦ୍ୟୁତ ଉପକରଣ ଛାଡ଼ି ଦେଲେ ଆଉ କିଛି ବିଶେଷ କ୍ଷୟକ୍ଷତି ହୋଇନାହିଁ।

ଏମିତି ବିପଦ ହେବ ବୋଲି ପୂର୍ବରୁ ଢେଙ୍କାନାଳବାସୀ ଆଶଙ୍କା କରିଥିଲେ। ଠିକ୍ ମାସକ ତଳେ ଆମ୍ ଆଦମୀ ପାର୍ଟିର କର୍ମକର୍ତା ଏହି ପ୍ରସଙ୍ଗରେ ଉତ୍ତରାଞ୍ଚଳ ଆରଡିସିଙ୍କୁ ଢେଙ୍କାନାଳରେ ଭେଟି ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର