ଯାଜପୁର: ସିଲିଣ୍ଡର ଫାଟି ଜଳିଗଲା ୪ ବଖରା, ଅଗ୍ନିକାଣ୍ଡରେ ଜଳିଗଲା ଘର ଓ ଗୁହାଳ

ଯାଜପୁରଟାଉନ/ସଦର: ଯାଜପୁର ସହରର ସାନବଜାରରେ ଆଜି ଏକ ଘରେ ରୋଷେଇ ସମୟରେ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଯାଜପୁର ପୌରାଞ୍ଚଳର ସାନବଜାର ଅଞ୍ଚଳର ବାବନ ଚନ୍ଦ୍ର ପରିଡ଼ାଙ୍କ ଘରେ ଆଜି ମଧ୍ୟାହ୍ନରେ ରୋଷେଇ ଚାଲିଥିଲା। କୌଣସି କାରଣରୁ ଗ୍ୟାସ ଟାଙ୍କିରେ ନିଆଁ ଲାଗି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଟାଙ୍କି ଫାଟିବାର ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଥରହର ହୋଇଯାଇଥିଲା। ଶବ୍ଦ ଏତେ ଜୋରରେ ହୋଇଥିଲା ଯେ ବୟସ୍କ ବ୍ୟକ୍ତିମାନେ ଠିଆହୋଇଥିବା ସ୍ଥାନରେ ପଡ଼ିଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ୪ ବଖରା ହୁତ୍‌ହୁତ୍‌ ହୋଇ ଜଳିଥିଲା। କିଛି ସମୟ ମଧ୍ୟରେ ନିଆଁ ପୂରା ଘରକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଜଳିଗଲା ଦୁଇବଖରା

ଯାଜପୁର ବ୍ଲକର ସିମିଳିଆ ପଞ୍ଚାୟତ ଗୌଡ଼ସାହି (ତାଳପଦା) ଗ୍ରାମର କୁନଚନ୍ଦ୍ର ପଣ୍ଡାଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳି ଯାଇଛି। ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ଥିବା ଧାନଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଠିକ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାରୁ ବଡ଼ଧରଣର ବିପଦ ଟଳିଯାଇଥିଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।

 

ସେହିପରି ଗୁରୁବାର ବିଳମ୍ବିତ ରାତିରେ ଦଶରଥପୁର ବ୍ଲକ୍ ଅସନପୁର ପଞ୍ଚାୟତର ପଥରପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ମାନସ ବେହେରା ଓ ମନୋଜ ବେହେରାଙ୍କର ୪ ବଖରା ଘର ସହ ଗୋଟିଏ ଗୁହାଳ ଘର ପୋଡ଼ିଯାଇଛି । ପରିବାର ଲୋକେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିବାରୁ କୌଣସି ଜିନିଷପତ୍ର ଉଦ୍ଧାର କରିପାରି ନଥିଲେ । ଅଗ୍ନିକାଣ୍ଡରେ ଘରେ ଥିବା ଧାନ ଚାଉଳ, ଗହଣା ଓ ଆସବାପତ୍ର ସମେତ ଗାଡ଼ି କିସ୍ତି ବାବଦରେ ରଖାଯାଇଥିବା ନଗଦ ୪୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି । ରନ୍ଧନ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେବାରୁ ପଡ଼ୋଶୀ ଗୌରାଙ୍ଗ ବେହେରା ଓ ଅନ୍ୟ ଜଣଙ୍କ ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର