ଦୁର୍ଗାପୁର ପାହାଡ଼ରେ ନିଆଁ: ଲିଭାଇବାରେ ୩୧୭ ସ୍କ୍ବାର୍ଡ, ୨୨ ଗାଡି ନିୟୋଜିତ

ରାଉରକେଲା: ରାଉରକେଲା ବନଖଣ୍ଡ ପାନପୋଷ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ପାହାଡ଼ରେ ନିଆଁ। ଗତକାଲି ରାତି‌ରୁ ପାହାଡ଼ରେ ଲାଗିଥିବା ନିଆଁ ଲିଭାଇବାକୁ ବନବିଭାଗ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଛି। ଆଜି ଅପରାହ୍ନରେ ଛେଣ୍ଡ କଲୋନିପାର୍ଶ୍ବ ପାହାଡ଼ରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ସୂଚନା‌ ଦେଇଥିଲେ। ଉଭୟ ବନ ବିଭାଗର ନିଆଁ ଲିଭା ଟିମ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିଲେ। କିଛି ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ଜେଠୁଆ କହିଛନ୍ତି।

ସେ କହିଛନ୍ତି, ରାଉରକେଲା ବନଖଣ୍ଡ ଅନ୍ତର୍ଗତ ୬ ରେଞ୍ଜରେ ଜଙ୍ଗଲ ନିଆଁ ଲିଭାଇବାକୁ ସ୍ବତନ୍ତ୍ର ଟିମ୍‌ ଓ ଗାଡି ନିୟୋଜିତ କରାଯାଇଛି। ୩୧୭ ସ୍କ୍ବାର୍ଡ, ୬୬ ବନ ସୁରକ୍ଷା ସମିତି , ୨୨ଟି ଗାଡି, ୫୦ ଏଚ୍‌ଜି, ୫୯ ଫରେଷ୍ଟ ଗାର୍ଡ, ୨୫ ଜଣ ଫରେଷ୍ଟର, ୫ ଡେପୁଟି ଫରେଷ୍ଟ ରେଞ୍ଜର, ୬ ରେଞ୍ଜର, ୨ ଏସିଏଫ୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ବନ ବିଭାଗର ସ୍ବତନ୍ତ୍ର ଆପ୍‌ ରହିଛି। କେଉଁ ଜଙ୍ଗଲ ଓ ପାହାଡ଼ରେ ନିଆଁ ଲାଗୁଛି ଆପ୍‌ ଜରିଆରେ ସଠିକ୍‌ ଭାବେ ଜାଣିହେଉଛି। କେବଳ ରାଉରକେଲା ବନଖଣ୍ଡ ନୁହେଁ, ସୁନ୍ଦରଗଡ଼ ଓ ବଣାଇ ବନଖଣ୍ଡରେ ଅଧିକାଂଶ ପାହାଡ ଓ ଜଙ୍ଗଲରେ ନିଆଁ ଲାଗିଛି।

କୋଇଡା ଓ ବଣାଇ ଅଞ୍ଚଳରେ କିଛି ଜଙ୍ଗଲ ଓ ପାହାଡ ଜଳୁଥିବା ଦେଖିବାକୁ ମିଳୁଛି। ବନ ବିଭାଗ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ସୂଚନା ପାଇବାମାତ୍ରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଉରକେଲା ଦୁର୍ଗାପୁର ପାହାଡ଼ରେ ଲାଗିଥିବା ନିଆଁ, ଆର୍‌ଏସ୍‌ପି ଓ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂଆଁ ଯୋଗୁ ସମ୍ପୂର୍ଣ୍ଣ ଇସ୍ପାତ ସହର ଧୂଆଁମୟ ହୋଇଯାଇଥିଲା। ପ୍ରାୟ ୩/୪ ଦିନ ସହରରେ ଏଭଳି ସ୍ଥିତି ଉପୁଜିଥିଲା। ସହରବାସୀ, ଯାନବାହନ ଚାଳକମାନେ ନାହିଁ ନଥିବା ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ପିଲାମାନେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିଥିଲେ।

ସମ୍ବନ୍ଧିତ ଖବର