ଇମାମି ପେପର ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ : କୋଟି କୋଟି ଟଙ୍କାର ସଂପତ୍ତି ପାଉଁଶ

ବାଲେଶ୍ୱର/ରେମୁଣା : ହୋଲିରେ ନିଆଁ ଲାଗି ଇମାମି ପେପର୍‌ ମିଲର କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି।

ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପେପର ପ୍ଲାଣ୍ଟ୍‌ର ସାମଗ୍ରୀ ରହିଥିବା ୧ ନମ୍ବର ଷ୍ଟକ୍‌ରୁମ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଶ୍ରମିକମାନେ ତୁରନ୍ତ ପ୍ଲାଣ୍ଟର ଅଗ୍ନିଶମ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ। ନିଆଁ ଏତେ ପରିମାଣରେ ମାଡ଼ି ଯାଇଥିଲା ଯେ, ତାକୁ ଆୟତ୍ତ କରିବା ପ୍ଲାଣ୍ଟ ଅଗ୍ନିଶମ ସୁରକ୍ଷା ବିଭାଗ ପକ୍ଷରେ ସମ୍ଭବ ହୋଇନଥିଲା। ତୁରନ୍ତ ନିକଟରେ ଥିବା ବାଲେଶ୍ବର ଆଲଏଜ, ବିର୍ଲା ଟାୟାର୍ସ, ରେମୁଣା ଓ ବାଲେଶ୍ବର ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା। ତଥାପି ସେମାନେ ନିଆଁକୁ ଅଟକାଇ ପାରିନଥିଲେ । ଜିଲ୍ଲା ପ୍ରଶାସନ ତୁରନ୍ତ ସେଠାକୁ ଏନ୍‌ଡିଆରଏଫ୍‌ର ଏକ ୨୮ ଜଣିଆ ଟିମ୍‌କୁ ପଠାଇଥିଲେ। ଦୀର୍ଘ ୧୬/୧୭ଘଣ୍ଟାର ପ୍ରୟାସ ପରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ସମ୍ପୂର୍ଣ୍ଣ ଭାବେ ନିଆଁ ଲିଭିଥିଲା।

ଖବର ପାଇ ଘଟଣାସ୍ଥଳରେ ପ୍ଲାଣ୍ଟର ପରିଚାଳନା ମୁଖ୍ୟ ଏମ୍‌ବିଏସ୍‌ ନାୟାର, ନିର୍ଦେଶକ (ଅପରେସନ) ଏସ୍‌ କେ ଖୈତାନ, ଅଧ୍ୟକ୍ଷ ଆଶିଷ ଏ ଗୁପ୍ତା, ଏଚ୍ଆର ମୁଖ୍ୟ ରଂଜନ ଜେନା ପ୍ରମୁଖ ପହଞ୍ଚିଥିଲେ। ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଇମାମୀ ପେପର ମିଲ୍ସ ଏମ୍ପ୍ଲୋଇଜ୍‌ ୟୁନି୍ଅନର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସମଙ୍ଗରାଜ ଘଟଣା ସ୍ଥଳ‌ରେ ପହଞ୍ଚିଥିଲେ। ତେବେ ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ଘଟି ନଥିବା ବେଳେ କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା ସେନେଇ ତଦନ୍ତ ଚାଲିଛି। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଏହା ଘଟିଥାଇପାରେ ବୋଲି ସନ୍ଦେହ କରାଯିବା ପରେ ପ୍ଲାଣ୍ଟ୍‌ ପରିସରରେ ଥିବା ଅନ୍ୟ ସମସ୍ତ ଷ୍ଟକ୍ ରୁମ୍‌ଗୁଡ଼ିକୁ ଖାଲି କରିଦିଆ‌ଯାଇଛି।

ସମ୍ବନ୍ଧିତ ଖବର