ରାୟଗଡାରେ ଶ୍ରାଦ୍ଧ ଭୋଜିବେଳେ ଲାଗିଗଲା ନିଆଁ, ୪ ଜଣ ମହିଳା ଆହତ

ରାୟଗଡା: ଶ୍ରାଦ୍ଧ ଭୋଜି ପାଇଁ ରୋଷେଇ କରୁଥିବାବେଳେ ଲାଗିଗଲା ନିଆଁ | ଏହି ଦୁର୍ଘଟଣାରେ ୪ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି | ରାୟଗଡାର ଫରେଷ୍ଟ କଲୋନୀରେ ଏଭଳି ଏକ ଅଘଟଣ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମନୋରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା | ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରୁ ଚୁଲାକୁ ସଂଯୋଗ କରୁଥିବା ପାଇପରେ ନିଆଁ ଲାଗିଯାଇଥିଲା |

ଯାହାଫଳରେ ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା | ଏହି ସମୟରେ ପରିବା କାଟୁଥିବା ୪ ଜଣ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା | ତୁରନ୍ତ ମହିଳାମାନଙ୍କୁ ରାୟଗଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଆହତ ମହିଳାମାନେ ହେଉଛନ୍ତି କଳାବତୀ ମାଣ୍ଡିଙ୍ଗ, ପାର୍ବତୀ କଣ୍ଡାଗିରି, ଲକ୍ଷ୍ମୀ କଣ୍ଡାଗିରି, ସୁକାନ୍ତି ମିଣିଆକା |

କଳାବତୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କୋରାପୁଟର ସହିଦ ଲଖମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ଶେଷ ଖବର ସୁଦ୍ଧା ଅନ୍ୟ ଆହତ ମହିଳାମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି | ଗ୍ୟାସ ପାଇପ କୌଣସି କାରଣରୁ ତରଳିଯାଇ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି |

ସମ୍ବନ୍ଧିତ ଖବର