ଭୁବନେଶ୍ବର : ଜଙ୍ଗଲ ବଢ଼ୁଛି। ଟାଙ୍ଗରା ଭୂଇଁରେ ଗଛ ଉଠୁଛି। ଉପକୂଳରେ ହେନ୍ତାଳ ବଣ ବଢ଼ୁଥିବା ନେଇ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଏମିତି ଦର୍ଶାଯାଇଛି। ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ଖୁସିରେ ଗଦ୍ଗଦ୍ ହୋଇପଡ଼ୁଛନ୍ତି। ପ୍ରଶଂସା ବି ସାଉଁଟୁଛନ୍ତି ଅଧିକାରୀ। ମାତ୍ର, ଜଙ୍ଗଲ ନିଆଁରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଉଛି।
/sambad/media/post_attachments/wp-content/uploads/2023/03/fire-ffffff-300x232.jpg)
ଶିମିଳିପାଳ ହେଉ କି ଗନ୍ଧମାର୍ଦ୍ଦନ, ସବୁଠି ବନାଗ୍ନିରେ ବ୍ୟାପକ ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଲାଣି। ସ୍ଥାନେ ସ୍ଥାନେ ନିଆଁର ପ୍ରକୋପ ଏତେ ରହୁଛି ଯେ ଜୀବଜନ୍ତୁ ଗାଁମୁହାଁ ହୋଇ ଶିକାରୀଙ୍କ ପଞ୍ଝାରେ ପଡ଼ୁଛନ୍ତି। ଗତ ୫ବର୍ଷ ହେଲା ନିଆଁ କବଳରେ କବଳିତ ହୋଇଛି ଓଡ଼ିଶାର ଜଙ୍ଗଲ। ୨୦୧୮ରୁ ୨୦୨୩ ଫେବ୍ରୁଆରି ୨୪ ସୁଦ୍ଧା ରାଜ୍ୟର ୧ ଲକ୍ଷ ୫୩ ହଜାର ୫୫୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୬୧ ହଜାର ୫୧୩ ହେକ୍ଟର ଜଙ୍ଗଲ ଜଳି ଯାଇଛି। ୨୦୨୩ର ପ୍ରଥମ ୫୪ ଦିନରେ ରାଜ୍ୟର ୪୪୬୬ଟି ସ୍ଥାନରେ ନିଆଁ ଲାଗିଛି। ଏଥିରେ ୧୪୪୫.୧୨ ହେକ୍ଟର ଜଙ୍ଗଲ ଜଳି ଗଲାଣି। ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ସ୍ଥିତି ସଙ୍ଗିନ ହେବା ନେଇ ପରିବେଶବିତ୍ ସତର୍କ କରାଇଛନ୍ତି।
/sambad/media/post_attachments/wp-content/uploads/2023/03/cart-464x430.jpg)
ଗତ ୫ ବର୍ଷରେ ଗୋଟିଏ କଥା ଦେଖିବାକୁ ମିଳିଛି ଯେ ଓଡ଼ିଶାର ବିଭିନ୍ନ ବନଖଣ୍ଡରେ ଯେଉଁ ନିଆଁ ଲାଗୁଛି, ତାହା ବଡ ବଡ ଗଛ ପ୍ରଭାବିତ ହେଉନାହିଁ। ଅଥଚ ଛୋଟ ଛୋଟ ଗଛ, ବନ୍ୟଜନ୍ତୁଙ୍କ ପ୍ରତି ଭୀଷଣ ବିପଦ ସୃଷ୍ଟି ହେଉଛି। ୨୦୨୧ରେ ଶିମିଳିପାଳରେ ସଂଘଟିତ ହୋଇଥିବା ଶିଖର ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିଲା। ସେହି ବର୍ଷ ଓଡ଼ିଶାରେ ୫୭ ହଜାର ୩୩୯ ବନାଗ୍ନି ହୋଇଥିବା ବେଳେ ୨୮ ହଜାର ୬୫୨ ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଅବସରପ୍ରାପ୍ତ ପିସିସିଏଫ୍ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ଆକ୍ସନ ପ୍ଲାନ କରିଥିଲେ। ଭବିଷ୍ୟତରେ ଯେପରି ଭୟଙ୍କର ପରିସ୍ଥିତି ନ ହୁଏ, ତାହାକୁ ଦୃଷ୍ଟିରେ ରଖି କମିଟି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। କେବଳ ବନାଗ୍ନି ସୁରକ୍ଷା ବାହିନୀ ଗଠନ କରାଯାଇଛି। ସେଥିରେ ସ୍ଥାନୀୟ ଯୁବକମାନଙ୍କୁ ନିୟୋଜିତ କରାଯାଇ ବନାଗ୍ନି ମୁକାବିଲା କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହା ସତ୍ତ୍ବେ ଜଙ୍ଗଲ ନିଆଁ ବର୍ତ୍ତମାନ ସ୍ଥିତିରେ ଦେଶରେ ସର୍ବୋଗ୍ରେ ରହିଛି।
/sambad/media/post_attachments/wp-content/uploads/2021/03/fire-forest.jpg)
ବନାଗ୍ନି ରୋକିବାକୁ ଏବର୍ଷ ରାଜ୍ୟ ସରକାର ୨୭୮ଟି ବନାଗ୍ନି ସୁରକ୍ଷା ବାହିନୀ ଗଠନ କରିଛନ୍ତି। ଏହି ବାହିନୀରେ ଥିବା ସଦସ୍ୟଙ୍କ ଗମନାଗମନ ସୁବିଧା ପାଇଁ ୪ଚକିଆ ଭଡ଼ା ଗାଡ଼ି ଯୋଗାଇ ଦିଆଯାଉଛି। ସେମାନେ ଜାନୁଆରିରୁ ଜୁନ୍ ମଧ୍ୟରେ ରାଜ୍ୟର ଅଗ୍ନିପ୍ରବଣ ବନଖଣ୍ଡଗୁଡ଼ିକରେ କାର୍ଯ୍ୟ କରିବେ। ଏ ବାବଦରେ ଏକ ବଜେଟ୍ ବ୍ୟୟବରାଦ ହେବ। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ସେ ନେଇ କାହା ପାଖରେ ଖବର ନାହିଁ। ଅବଶ୍ୟ ବିଗତ ବର୍ଷ ତୁଳନାରେ ଏଥର ବନଖଣ୍ଡସ୍ତରରେ ନିକଟବର୍ତ୍ତୀ ଗ୍ରାମରେ ସଚେତନତା ଶିବିର, ପ୍ରୋତ୍ସାହନ ରାଶି ଠିକ୍ ସମୟରେ ଦିଆଯାଉଛି।
ଅନ୍ୟପକ୍ଷରେ, ଫରେଷ୍ଟ ଫାୟାର ପ୍ରୋଟେକ୍ସନ ସ୍କ୍ବାଡ୍ ଗଠନ କରିଥିଲେ ମଧ୍ୟ ସେଥିରେ ନିୟୋଜିତ କର୍ମଚାରୀମାନେ ଠିକ୍ ଭାବେ ତାଲିମ୍ ନେଇ ନ ଥିବାରୁ ସମସ୍ୟା ଉପୁଜିଥିବା ଖବର ସାମ୍ନାକୁ ଆସିଛି। ବହୁ ସ୍ଥାନରେ ଗ୍ରାମବାସୀମାନେ ସହଯୋଗ କରୁନାହାନ୍ତି। ବରଂ ନିଜର ଦୈନନ୍ଦିନ ରୋଜଗାର ଲାଗି ଜଙ୍ଗଲରେ ନିଆଁ ଲଗାଉଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ph-ee333.jpg)