ଭୁବନେଶ୍ବର : ଦେଶର ୬୫୦ଟି ସ୍ଥାନରେ ବଡ଼ଧରଣର ବନାଗ୍ନି। ସେଥିରୁ କେବଳ ଓଡ଼ିଶାରେ ୨୦୦ ଚିହ୍ନଟ ହୋଇଛି। ଶିମିଳିପାଳରେ ନିଆଁ ଲାଗିଛି। ସୁନାବେଡ଼ା ବନଖଣ୍ଡରେ ବି ଜଙ୍ଗଲ ଜଳୁଛି। ମାଲକାନିଗିରିର ଚିତ୍ରକୋଣ୍ଡା ହେଉ କିମ୍ବା ନବରଙ୍ଗପୁରର ଝରିଗାଁ, ନୂଆପଡ଼ାର ଖଡ଼ିଆଳ, କୋମନା, କୋରାପୁଟର ନାରାୟଣପାଟଣା, ସୁନ୍ଦରଗଡ଼ର ହେମଗିରି, କନ୍ଧମାଳର ତୁମୁଡ଼ିବନ୍ଧ, ଗଜପତିର ମୋହନା ଓ ଚନ୍ଦ୍ରଗିରି, ଖୋର୍ଦ୍ଧାର ବାଲୁଗାଁ, କେନ୍ଦୁଝରର ଚମ୍ପୁଆ ଓ ଘଟଗାଁ, ଗଞ୍ଜାମର ଆସ୍କା, କଟକର ନରସିଂହପୁର, ମୟୂରଭଞ୍ଜର ସାତକୋଶିଆ, ପିଠାବଟା, ବାଙ୍ଗିରିପୋଷି, ଦେଉଳି, ବେତନଟୀ, ରାସଗୋବିନ୍ଦପୁର, ଗୁରୁଗୁରିଆ ରେଞ୍ଜରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। କେଉଁଠି ଦୁଇ ଦିନ ତ ଆଉ କେଉଁଠି ୪ ଦିନ ହେଲା ନିଆଁ ଲାଗିଛି ଯେ ଲିଭୁନାହିଁ। ଲଭାଇବା ଲାଗି ବନ ବିଭାଗ କର୍ମଚାରୀ ନୟାନ୍ତ ହେଲେଣି। ତଥାପି ସମସ୍ତ ପ୍ରୟାସ ଏକପ୍ରକାର ବିଫଳ ହୋଇଛି। ଗୋଟିଏ ପରେ ଗୋଟିଏ ରେଞ୍ଜକୁ ମାଡ଼ି ଚାଲିଛି।

Advertisment

publive-image

ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫୮ଟି ସ୍ଥାନରେ ବଡ଼ଧରଣ ବନାଗ୍ନି ଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଆଉ ୪୨ଟି ସ୍ଥାନରେ ନିଆଁ ଲାଗିଛି। ପରିଣାମ ସ୍ବରୂପ ଏବେ ସମଗ୍ର ଓଡ଼ିଶା ନିଆଁର ଆଁ ଭିତରକୁ ଚାଲି ଆସିଛି। ଗତ ୭ଦିନରେ ଦେଶର ସର୍ବାଧିକ ବନାଗ୍ନି ଓଡ଼ିଶାରେ ହିଁ ସଂଗଠିତ ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଗତ ୭ ଦିନରେ ଓଡ଼ିଶାର ୪୯୫ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ‌ହୋଇଛି, ଯାହାକି ଦେଶରେ ସର୍ବାଧିକ। ଆନ୍ଧ୍ର ପ୍ରଦେଶକୁ ପଛରେ ପକାଇ ଓଡ଼ିଶା ବନାଗ୍ନିରେ ଏବେ ଦେଶର ହଟ୍‌ସ୍ପଟ୍‌ ପାଲଟିଛି। ଯଦି ଦେଖିବା ଦକ୍ଷିଣ ଓ ପୂର୍ବ ଭାରତ ଏବେ ବନାଗ୍ନି ନିଆଁରେ ଜଳୁଛି। ଆଜିର ଦିନରେ ଓଡ଼ିଶା ତଳକୁ କର୍ଣ୍ଣାଟକରେ ଦ୍ବିତୀୟ ସର୍ବାଧିକ ୮୮ଟି ବଡ଼ଧରଣର ବନାଗ୍ନି ରହିଛି। ଆନ୍ଧ୍ରପ୍ରଦେଶରେ ୭୬, ତେଲେଙ୍ଗାନାରେ ୫୬, ଛତିଶଗଡ଼ରେ ୫୧, ଝାଡ଼ଖଣ୍ଡରେ ୩୬, ମଣିପୁରରେ ୩୦, ମହାରାଷ୍ଟ୍ରରେ ୨୨, ମଧ୍ୟପ୍ରଦେଶ, ମିଜୋରାମ ଓ କେରଳରେ ୧୨ଟି ଲେଖାଏ, ନାଗାଲାଣ୍ଡ ଓ ଆସାମରେ ୧୧ଟି ଲେଖାଏ ବଡ଼ଧରଣର ବନାଗ୍ନି ହୋଇଛି। ନଭେମ୍ବର ପହିଲାରୁ ଏପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ୭୦୩ଟି ବଡ଼ଧରଣର ବନାଗ୍ନି ହୋଇଥିବା ବେଳେ ଓଡ଼ିଶାରେ ୬୭୬, କର୍ଣ୍ଣାଟକରେ ୫୯୪, ତେଲେଙ୍ଗାନାରେ ୪୧୭, ମଧ୍ୟପ୍ରଦେଶରେ ୩୧୨ ରହିଛି। ନାସା ସାଟେଲାଇଟ ଇମେଜରେ ଏବେ ଅଧା ଭାରତ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଓଡ଼ିଶାକୁ ଏକ ତତଲା ପିଣ୍ଡ ଭାବେ ଚିହ୍ନଟ କରାଯାଇଛି।

publive-image

ବନ ବିଭାଗ ଅଧିକାରୀମାନେ ବି ହାତ ଟେକିଦେଲେଣି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରାଯାଉଛି। ଗତକାଲି ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା, ଯାହାକି ଆଜି ହ୍ରାସ ପାଇଛି। ଫେବ୍ରୁଆରିରୁ ଏବେ ସୁଦ୍ଧା ରାଜ୍ୟର ଯେତେ ଜାଗାରେ ନିଆଁ ଲାଗିଛି, ସବୁ ଯାକ ମନୁଷ୍ୟକୃତ।

ଆମେ ୯୭ ପ୍ରତିଶତ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛୁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ବର୍ଷା ନହେଲେ ଆଗକୁ ସ୍ଥିତି ଉପୁଜିବ। ଭଗବାନଙ୍କୁ ଡାକୁଛୁ ଜଲଦି ବର୍ଷା ହେଉ। ବର୍ଷା ହେଲେ ଯାଇ ନିଆଁ ଲିଭିବ। ଯେହେତୁ ଅକ୍ଟୋବରରୁ ବର୍ଷା ନାହିଁ, ତେଣୁ ବର୍ଷା ହେବା ଆବଶ୍ୟକ। ନଚେତ ସାଂଘାତିକ ସ୍ଥିତି ଉପୁଜିପାରେ। ଏବେ ୧୬ହଜାର ବନ ସୁରକ୍ଷା ସମିତି ଓ ୨୮୦ଟି ଅଗ୍ନି ନିରୋଧକ ସ୍ପେସାଲ ଟିମ୍‌ ନିୟୋଜିତ ହୋଇଛନ୍ତି। ସଚେତନତା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯାଇଛି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ ମୁରୁଗେସନ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିଲେ ସହର ଉପରେ ତାହାର ବେଶୀ ପ୍ରଭାବ ନାହିଁ କି ପ୍ରଦୂଷଣ ନାହିଁ। କାରଣ ରାଉରକେଲା ସହର ପାଖରେ ବୀରମିତ୍ରପୁର ଓ ରାଜଗାଙ୍ଗପୁର ସହର ରହିଛି। ଯେଉଁଠି କି ଜଙ୍ଗଲ ବେଶୀ ନିଆଁ ଲାଗୁଛି। ଭୁବନେଶ୍ୱରକୁ ଲାଗି କରି ଚନ୍ଦକା ଜଙ୍ଗଲ ବି ରହିଛି। ତାହାର ପ୍ରଭାବ ସହର ଉପରେ ପଡ଼ୁନାହିଁ। କେବଳ ରାଉରକେଲାରେ ବେଶୀ ନିଆଁ ଲାଗୁଛି। ତେଣୁ ସହର ପ୍ରଦୂଷଣରେ ରାଉରକେଲା ଆଗରେ ରହିଛି। ଗତବର୍ଷ ଏଠାରେ ପ୍ରଦୂଷଣ ମାତ୍ରା ୧୬୦ ଏକ୍ୟୁଆଇରୁ ୨୦୦ ହୋଇଯାଇଥିଲା। ଜଙ୍ଗଲ ନିଆଁକୁ କିଭଳି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ ସ୍କ୍ୱାଡ୍‌ ଗଠନ କରାଯାଇଛି।