ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ, ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ

ଭୁବନେଶ୍ବର: କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଆଜି ଜଙ୍ଗଲ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ରାସ୍ତାରେ ଯାଉଥିବା ୫ଜଣ ଯାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା-କରଂଜିଆ ରାସ୍ତାରେ ।

ସୂଚନା ଅନୁସାରେ, ପ୍ରାୟ ଚାରି ଦିନ ହେବ ସେଠାରେ ନିଆଁ ଲାଗି ଜଙ୍ଗଲ ଜଳୁଛି । ଆଜି ଅଚାନକ ପବନ ଜୋରରେ ବହିବାରୁ ଜୁଆଳିକାଟ ଛକ ନିକଟରେ ନିଆଁ ରାସ୍ତା ଉପରକୁ ଉଡି ଆସିଥିଲା ଯାହା ଫଳରେ ନିଆଁକୁ ଦେଖି ଭୟଭୀତ ହୋଇ ପଡିଥିଲେ, ସେହି ସମୟରେ ରାସ୍ତାରେ ଯାଉଥିବା ଗାଡି ଚାଳକ । ଏହି ସମୟରେ ଅଟୋରେ ଥିବା ୫ ଜଣ ଯାତ୍ରୀ ନିଆଁ ଉପରକୁ ଛିଟିକି ପଡିଥିଲେ । ସେମାନେ ନିଆଁରେ ପୋଡି ହୋଇ ଆହତ ହୋଇଥିବା ବେଳେ ସେମାନଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତି କରାଯାଇଛି ।

ସମ୍ବନ୍ଧିତ ଖବର