ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଆଗରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସେଭଳି କ୍ଷୟକ୍ଷତି ହୋଇନଥିଲେ ବି ବହୁଦିନରୁ ଗଦା ହୋଇ ରହିଥିବା ଭଗ୍ନାଂଶ ଓ ପୁଲିସର କିଛି ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ଜଳିଯାଇଛି। ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି, ସେଠାରେ ଦିନତମାମ ନିଶାଡ଼ିଙ୍କ ଭିଡ଼ ଜମୁଛି। ଗଞ୍ଜେଇଠାରୁ ଆରମ୍ଭ କରି ଅନ୍ୟ ନିଶା ଦ୍ରବ୍ୟର ଖୋଲାଖୋଲି ସେବନ କରାଯାଉଛି। ଏଣୁ ଏହି ନିଶାଡ଼ିମାନେ ଏଥିରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

Advertisment

ବହୁଦିନରୁ ଜିଲ୍ଲା ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ବହୁ ଭଗ୍ନାଂଶ ଗଦା କରି ରଖିଥିଲା। ଆଜି ସକାଳ ପ୍ରାୟ ୬ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ପାଚେରିକୁ ଲାଗି ଗଦା ହୋଇ ରହିଥିବା ଏହି ଭଗ୍ନାଂଶ ଓ ପୁଲିସର ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ରେ ନିଆଁ ଲାଗି ହୁତ୍‌ହୁତ୍‌ ହୋଇ ଜଳିଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଲିସର ବହୁ ପ୍ଲାଷ୍ଟିକ ବ୍ୟାରିକେଡ୍‌ ପୋଡ଼ିଯାଇଛି। ସ୍ଥାନୀୟ ଲୋକେ ଓ ସେବାୟତମାନେ ଅଭିଯୋଗ କରିଛନ୍ତି, ବହୁଦିନରୁ ଏଠାରେ ନିଶାଡ଼ିମାନେ ଆଡ଼ା ଜମାଇଛନ୍ତି। ଖୋଲାଖୋଲି ନିଶାସେବନ କରୁଛନ୍ତି। ପୁଲିସ ଏହା ଦେଖୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ଯାହାର ପରିଣାମ ସ୍ବରୂପ ଆଜି ଏଭଳି ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟକୁ କାହାରି କିଛି କ୍ଷତି ହୋଇନି। ଆଖପାଖରେ ବହୁ ଘର ଓ ଦୋକାନ ରହିଛି। ଯଦି ଏହାକୁ ନିଆଁ ବ୍ୟାପିଥାନ୍ତା, ବଡ଼ ଅଘଟଣ ଘଟିଥାନ୍ତା ବୋଲି ଅଭିଯୋଗ କରିଛନ୍ତି। ଏଣୁ ଏହି ନିଶାଡ଼ିଙ୍କ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଏଠାରେ ୨୪ ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।