ଜିଓ ସିନ୍ଥେଟିକ୍‌ ୱାଲ୍‌ରେ ଅଗ୍ନିକାଣ୍ତ : ୧୦୦ ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ

ଓଡିଶାର ଏକମାତ୍ର, ଦେଶରେ ଦ୍ବିତୀୟ

ରାଜନଗର : କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ପେଣ୍ଠ ନିକଟ ବଙ୍ଗୋପସାଗର କୂଳରେ ନିର୍ମାଣ ହୋଇଥିବା ଦେଶର ଦ୍ବିତୀୟ ଓ ଓଡିଶାର ଏକମାତ୍ର ଜିଓ ସିନ୍ଥେଟିକ ୱାଲ୍‌ରେ ଅଗ୍ନିକାଣ୍ତ ଘଟିଛି। ଏଥିରେ ୧୦୦ଟି ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ ହୋଇଛି। ରାତି ୩ଟାରୁ ୪ଟା ମଧ୍ୟରେ ସମୁଦ୍ର କୂଳରେ କିଏ ନିଆଁ ଲଗାଇଲା, ସେ ନେଇ ବିସ୍ମୟ ସୃଷ୍ଟି ହୋଇଛି। ରାଜନଗର ଥାନାରେ ସ୍ଥାନୀୟ ତଟବନ୍ଧ ବିଭାଗ ପକ୍ଷରୁ ଏ ନେଇ ଅଭିଯୋଗ କରାଯାଇଛି।

ଆଜି ଭୋର ୫ଟାରେ ଜିଓ ସିନ୍ଥେଟିକ ୱାଲ୍‌ ଜଳୁଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗ ଓ ତଟବନ୍ଧ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ ସମୁଦ୍ର କୂଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବାରେ ପେଣ୍ଠ ଗ୍ରାମବାସୀ ସହଯୋଗ କରିଥିଲେ।

ସୂଚନା ଅନୁସାରେ, ସିନ୍ଥେଟିକ ୱାଲ୍‌ର ୨୦ ମିଟର ଓସାର ଯାଏଁ ନିଆଁ ଲାଗିଛି। ୨୦ ମିଟର ମଧ୍ୟରେ ଥିବା ପ୍ରାୟ ୧୦୦ଟି ଗ୍ୟାବିନ୍‌ ବକ୍ସ୍‌ର ଜାଲି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଗ୍ୟାବିନ ବକ୍ସ୍‌ ମଧ୍ୟରେ ଥିବା ପଥରଖଣ୍ତ ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ଖବରପାଇ ତଟବନ୍ଧ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ରଥ, ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ସହକାରୀ ନିର୍ବାହୀଯନ୍ତ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ, ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ବେହେରା ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତଦନ୍ତ ପରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି ଯେ, ‘ ଠିକଣା ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ନିଆଁ ଜିଓ ଟ୍ୟୁବ ପର୍ଯ୍ୟନ୍ତ ଯାଇପାରିନି। ଜଳି ଯାଇଥିବା ସିନ୍ଥେଟିକ ପଥରଭର୍ତ୍ତି ଜାଲର ତୁରନ୍ତ ମରାମତି କରାଯିବ।’ ‘ ଚେନ୍ନାଇ ଆଇଆଇଟିଙ୍କ ଯାନ୍ତ୍ରିକ କୌଶଳରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଥିବାରୁ ଏହାର ସୁରକ୍ଷା ପାଇଁ ସେମାନଙ୍କ ପରାମର୍ଶ ନିଆଯିବ। ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ଏହି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ପୁନଃ ସମୀକ୍ଷା କରିବେ,’ ବୋଲି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି।

ପ୍ରକାଶଥାଉକି, ପେଣ୍ଠ ନିକଟରେ ଆଗରୁ ବାରମ୍ବାର ସମୁଦ୍ର କୂଳ ଲଂଘୁଥିଲା। ସମୁଦ୍ର ପଠା ଖାଇ ଲୁଣା ଘେରିବନ୍ଧକୁ ଗର୍ଭସ୍ଥ କରିନେଉଥିଲା ପାରମ୍ପରିକ ଉପାୟରେ ସମୁଦ୍ର ଜୁଆର ନ ଅଟକିବାରୁ ପେଣ୍ଠ ନିକଟରେ ୫୦୫ ମିଟର ସିନ୍ଥେଟିକ ୱାଲ୍‌ ନିର୍ମାଣ କରାଯାଇଥିଲା। ୨୦ ମିଟର ବିଶିଷ୍ଟ ଟ୍ୟୁବ୍‌ଗୁଡିକୁ ଖଞ୍ଜାଯାଇ ଏହି ସିନ୍ଥେଟିକ ୱାଲ ନିର୍ମାଣ କରାଯାଇଥିଲା। ଲୁଣିପାଣି ଦ୍ବାରା କ୍ଷୟ ହେଉ ନଥିବା ଉଚ୍ଚମାନର ରେକ୍ସିନ ଜାତୀୟ ପଦାର୍ଥରେ ପ୍ରସ୍ତୁତ ଟ୍ୟୁବ୍‌ ବା ପେଟ୍ରୋଲିୟମ ପ୍ରଡକ୍ଟ ପଲିପ୍ରୋକୋଲିନରେ ଥିବା ଗର୍ତ୍ତ ମଧ୍ୟରେ ବାଲି ପାଣି ଦିଆଯାଇ ଏହି ସିନ୍ଥେଟିକ ୱାଲ ନିର୍ମାଣ କରାଯାଇଥିଲା। ସମୁଦ୍ର ଜୁଆର ଓ ଅଲଟ୍ରାଭାଓଲେଟ କିରଣରୁ ସିନ୍ଥେଟିକ ୱାଲକୁ ସୁରକ୍ଷା ଦେବା ପାଇଁ ତାହା ଉପରେ ଗ୍ୟାବିନ ବକ୍ସ ଖଞ୍ଜାଯାଇଥିଲା। ପଲିମର୍‌ ଜାତୀୟ ଦଉଡିରେ ତିଆରି ଜାଲି ମଧ୍ୟରେ ପଥରଖଣ୍ତ ପୂରାଯାଇ ଏହି ସୁରକ୍ଷା ୱାଲ ନିର୍ମାଣ କରାଯାଇଥିଲା। ଏଥିପାଇଁ ୩୪କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସମୁଦ୍ର ଜୁଆର ମାଡ଼ରେ ଅଧିକାଂଶ ସମୟରେ ଏହି ଗ୍ୟାବିନ ବକ୍ସ କ୍ଷତିଗ୍ରସ୍ତ ହୋଇଥାଏ। ଫଳରେ ତଟବନ୍ଧ ବିଭାଗ ପକ୍ଷରୁ ସମୁଦ୍ର ଭିତରେ ବଡ଼ ପଥରଖଣ୍ତ ପକାଇଯାଇଛି। ଅଗ୍ନିକାଣ୍ତ ପରେ ସିନ୍ଥେଟିକ ୱାଲ୍‌ର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର ଓପାଡାଠାରେ ଭାରତର ପ୍ରଥମ ଜିଓ ସିନ୍ଥେଟିକ ୱାଲ ନିର୍ମାଣ ହୋଇଥିଲା।

ସମ୍ବନ୍ଧିତ ଖବର