ସମ୍ବଲପୁର : ୨ ବର୍ଷ ପରେ ସମ୍ବଲପୁର ଗୋଲବଜାରରେ ପୁଣି ଲାଗିଛି ନିଆଁ । ଦୀପାବଳି ରାତି ପ୍ରାୟ ୧.୩୦ ରୁ ୧.୪୫ ମଧ୍ୟରେ ନିଆଁ ଲାଗି ୫୦ ଟି ପିଣ୍ଡି ଜଳି ଯାଇଛି। ଏଥିରେ ଶତାଧିକ ଦୋକାନୀ କ୍ଷତିଗ୍ରସ୍ତ ହୋଇଥିବା ଓ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ଗୋଲବଜାର ଅଧିବାସୀ ତଥା ଲୁଗା ବ୍ୟବସାୟୀ ଆୟୁଷ ପୋଦ୍ଦାର ପ୍ରଥମେ ରାତି ପ୍ରାୟ ୧.୪୦ରେ ଗୋଲବଜାର ପରିବା ମାର୍କେଟ୍ ଭିତରୁ ଧୂଆଁ ଉଠୁଥିବା ଓ ନିଆଁର ଶିଖା ଉଠୁଥିବା ଦେଖିଥିଲେ। ସେ ତୁରନ୍ତ ବଜାରର ଜଗୁଆଳି, ବୈଦ୍ୟନାଥ ଛକ ସ୍ଥିତ ବିଜୁଳି କାର୍ଯ୍ୟାଳୟ ସମେତ ଅନ୍ୟମାନଙ୍କୁ ଏହି ବିଷୟରେ ଜଣାଇଥିଲେ। ଏହି ସମୟ ମଧ୍ୟରେ ପଡ଼ୋଶୀ ବ୍ୟବସାୟୀ ଭରତ ସିଂହାନିଆ ମଧ୍ୟ ନିଆଁ ଲାଗିଥିବା ଦେଖି ଦମକଳ ବାହିନୀକୁ ସୂଚନା ଦେଇଥିଲେ। ରାତି ପ୍ରାୟ ୨ଟା ୫ ମିନିଟ୍ ବେଳକୁ ଦମକଳ ଗାଡ଼ି ପହଞ୍ଚି ଯାଇଥିଲା। ବଜାର ଚାରିପଟୁ ବନ୍ଦ ଥିବାରୁ ତାଲା ଖୋଲିବାକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାର ଭିତରେ ଥିବା ୩ଟି ଲାଇନର ସମସ୍ତ ପରିବା ଦୋକାନ ଜଳି ଯାଇଥିଲା। ନିକଟରେ ଥିବା ଅନ୍ୟ କିଛି ଦୋକାନ ବି ପ୍ରଭାବିତ ହୋଇଥିଲା। ୩ଟି ଗାଡ଼ି ଓ ୧୮ ଜଣ କର୍ମଚାରୀ ନିଆଁ ଲିଭାଇବା କାମରେ ଲାଗିଥିଲେ। ଘଟଣା ଘଟିବାର ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଗୋଲବଜାରର ଅଧିକାଂଶ ଦୋକାନୀ ପହଞ୍ଚି ଯାଇଥିଲେ। ସେମାନଙ୍କୁ ଗୋଲବଜାରରୁ ଉଚ୍ଛେଦ କରିବା ପାଇଁ ଜାଣି ଶୁଣି ଏଭଳି ନିଆଁ ଲଗାଇ ଦିଆ ଯାଉଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଦୋକାନୀ ସୁରେନ୍ଦ୍ର ସାହୁ ଭଳି ଅନେକ ବ୍ୟବସାୟୀ କହନ୍ତି, ଦୀପାବଳି ଥିବାରୁ ଗତରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ବଜାରରେ ଗହଳଚହଳ ଲାଗି ରହିଥିଲା। ୧୨.୩୦ରେ ପୂଜା ସାରି ସମସ୍ତେ ଯାଇଛନ୍ତି। ପ୍ରାୟ ୨ଟାରୁ ଅଢେଇଟା ବେଳକୁ ସେ ନିଆଁ ଲାଗିଥିବା ନେଇ ଖବର ପାଇ ତୁରନ୍ତ ପହଞ୍ଚିଥିଲେ। ସେତେବେଳକୁ ସବୁ ସରି ଯାଇଥିଲା। ବାରମ୍ବାର କେବଳ ବିଳମ୍ବିତ ରାତିରେ ହିଁ କାହିଁକି ନିଆଁ ଲାଗୁଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।
ସର୍ଟ ସର୍କିଟ କିମ୍ବା ଦୀପରୁ ନିଆଁ ଲାଗିଥିଲେ ଏତେ ସଂଖ୍ୟକ ଦୋକାନ ଜଳିବାକୁ ସମୟ ଲାଗିଥାଆନ୍ତା। ମାତ୍ର ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଦୋକାନ ଜଳିବା ନେଇ ବ୍ୟବସାୟୀମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି।
ପ୍ରକାଶଥାଉକି, ୧୯୦୩ ମସିହାରେ ପ୍ରତିଷ୍ଠା ହୋଇଥିଲା ଗୋଲବଜାର। ପ୍ରଥମ ୯୦ ବର୍ଷର ତଥ୍ୟ ନଥିବା ବେଳେ ୧୯୯୩ ମସିହାରେ ଗୋଲବଜାରରେ ନିଆଁ ଲାଗିଥିଲା। ଦୋକାନ ବଜାର ପୋଡ଼ିବା ସହ ବହୁ କ୍ଷୟକ୍ଷତି ହୋଇଥିଲା। ଏହାପରେ ୧୯୯୯, ୨୦୦୫ ଏବଂ ୨୦୧୭ ମସିହାରେ ନିଆଁ ଲାଗିଥିଲା। ୨୦୧୭ ମସିହା ଏପ୍ରିଲ ୫ ତାରିଖ ରାତିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାୟପ୍ରାୟ ପୂରା ଗୋଲବଜାର ଭସ୍ମୀଭୂତ ହୋଇ ଯାଇଥିଲା। କୋଟିକୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବାବେଳେ ଶହଶହ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ। ବାରମ୍ବାର ନିଆଁ ଲାଗୁଥିଲେ ବି କୌଣସି ଥର ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଜାଣିଶୁଣି ଉଦ୍ଦେଶ୍ୟମୂଳକଭାବେ ବାରମ୍ବାର ନିଆଁ ଲଗାଇ ସେମାନଙ୍କୁ ହଇରାଣ କରାଯାଉଛି ବୋଲି ଦୋକାନୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି।