କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, ୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ  ଅଗ୍ନିଶମ ବାହିନୀ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ୨୦ଟି ବଗିରେ ନିଆଁ ଲାଗିଥିଲା। ଟ୍ରେନ୍‌ଟି ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବଗିରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା।

ଟ୍ରେନ୍‌ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ କଣ୍ଟାବାଞ୍ଜିର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ସଙ୍ଗେସଙ୍ଗେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ। ପ୍ରାୟ ୬ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଭୋର୍‌ ୪ଟାରେ ସେମାନେ ନିଆଁକୁ ଆୟତ୍ତ କରିଥିବା କୁହାଯାଉଛି। ଏହାପରେ କୋଇଲା ବୋଝେଇ ଟ୍ରେନ ରାୟପୁର ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।

ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଥିଲା ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ରେଳବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର