ଜଳୁଛି ଜଙ୍ଗଲ, ଧୂଆଁମୟ ହାଲ୍‌ ସହରାଞ୍ଚଳ

ସେମିଲିଗୁଡା /ସୁନାବେଡା: ଶିମିଳିପାଳ ଅଭୟାରଣ୍ୟ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଲାଗିଥିବା ନିଆଁ ଆୟତ୍ତକୁ ଆସିନଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ଜଙ୍ଗଲ ଜଳିବାରେ ଲାଗିଛି। ହାଲ୍‌ ସହରାଞ୍ଚଳ ମଧ୍ୟରେ ଥିବା ଭାଲୁ ପାହାଡ଼ରେ ଅଳ୍ପ କିଛି ଦିନ ତଳେ ନିଆଁ ଲାଗି ସମଗ୍ର ପାହାଡ଼ରେ ଥିବା ଗଛ ପତ୍ର ଜଳି ଯାଇଥିଲା। ପୁଣି ଥରେ ଆଜି ଦିନ ୧୨ଟା ସମୟରେ କୌଣସି କାରଣରୁ ହାଲ୍‌ ଅଫିସର କ୍ଳବ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଶୁଖିଲା ବୁଦା, ପତ୍ର ଆଦି ପଡିରହିଥିବାରୁ ଓ ଜୋର ପବନ ଯୋଗୁ ଦେଖୁ ଦେଖୁ ନିଆଁ ଅଫିସର କ୍ଳବ ପରିସର ମଧ୍ୟକୁ ବ୍ୟାପି ଯାଇଥିଲା।
ନିଆଁ ଲାଗିଚାଲିଥିଲେ ମଧ୍ୟ ସ୍ୱଳ୍ପ କର୍ମଚାରୀ ଥିବାରୁ ଏହାକୁ ଆୟତ୍ତ କରିପାରି ନ ଥିଲେ। କ୍ଳବ ପରିସରରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ହାଲ୍‌ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ହାଲ୍‌ ସହରାଞ୍ଚଳରେ ଥିବା ଆର୍‌ ଜୋନ୍‌ ପାହାଡ଼ରେ ମଧ୍ୟ ନିଆଁ ଲାଗିଥିବାରୁ ଓ ଦମକଳ ସମେତ କର୍ମଚାରୀ ସେଠାରେ ନିଆଁ ଲିଭାଇବାରେ ବ୍ୟସ୍ତ ଥିବାରୁ ଠିକଣା ସମୟରେ ପହଂଚି ପାରି ନଥିଲେ। ଫଳରେ ସମଗ୍ର କ୍ଳବ ପରିସରରେ ଥିବା ସବୁଜ ବଳୟ ପୋଡି ପାଉଁଶ ହୋଇଯାଇଥିବା ବେଳେ ସମଗ୍ର ହାଲ ଅଂଚଳ ଧୂଆମୟ ହୋଇଯାଇଥିଲା।
ଖବର ଲେଖା ହେବା ପର୍ଯ୍ୟନ୍ତ କ୍ଳବ ପାଖେରେ ଦମକଳ ପହଂଚି ନଥିବା ବେଳେ ନିଆଁ ଆୟତ୍ତକୁ ଆସିପାରି ନ ଥିଲା। ହାଲ୍‌ ସହରାଞ୍ଚଳର ଅଧିକାଂଶ ଅଞ୍ଚଳରେ ଘନ ଜଙ୍ଗଲ ଭରି ରହିଥିବାରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସତର୍କତା ମୂଳକ ପଦକ୍ଷେପ ନ ନିଆଗଲେ ଭବିଷ୍ୟତରେ ବଡଧରଣର ଅଗ୍ନିକାଣ୍ଡର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।
ସମ୍ବନ୍ଧିତ ଖବର