କିଶୋରନଗର : ଅନୁଗୁଳ ଜିଲ୍ଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଔଷଧ ଗୋଦାମରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ତ ଘଟିଛି। ଫଳରେ, ଗୋଦାମରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଔଷଧ ଓ ମୂଲ୍ୟବାନ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Advertisment

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜଣେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହୁଥିବା ଜଣେ କର୍ମଚାରୀଙ୍କ ବାସଭବନକୁ ଯାଉଥିଲେ। ଏହିସମୟରେ ଡାକ୍ତରଖାନା ଔଷଧ ଗୋଦାମରୁ ଧୂଆଁ ବାହାରୁଥିବା ଦେଖିଥିଲେ। କିଛିସମୟ ମଧ୍ୟରେ ଗୋଦାମ ଘର ଖୁବ୍‌ଜୋର୍‌ରେ ଜଳିବାକୁ ଲାଗିଲା। ‌େରାଗୀ ଜଣକ ତୁରନ୍ତ ଏ ସଂପର୍କରେ ଡାକ୍ତରଖାନା କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ, ବାମୁର ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା। ପାଖାପାଖି ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ତେବେ, ଦମକଳ ଗାଡ଼ିରେ ପାଣି ସରିଯାଇଥିବାରୁ ନିଅଁାକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ଏଥିଯୋଗୁଁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।

କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା, ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ଅଗ୍ନିକାଣ୍ଡ ସଂପର୍କରେ ତଦନ୍ତ କରିଥିଲେ। ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।