ଇନ୍ଦ୍ରାବତୀ ସୁଇଚୟାର୍ଡ ଟ୍ରାନ୍ସଫର୍ମରରେ ନିଆଁ: ୨୪ ଘଣ୍ଟା ପରେ ବି ଲିଭିନି

ଜୟପାଟଣା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ସୁଇଚ୍‌ୟାର୍ଡର ଏକ ୪୪୦ କେଭି ଟ୍ରାନ୍ସଫର୍ମରରେ ନିଆଁ ଲାଗିବାର ୨୪ ଘଣ୍ଟା ପରେ ମଧ୍ୟ ନିଆଁ ଶାନ୍ତ ହୋଇ ନ ଥିବା ଦେଖିବାକୁ ମିଳିଛି। ଗତ ରାତିରେ ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଶୁକ୍ରବାର ଦିନ ତମାମ ତା’ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଗୁରୁବାର ସନ୍ଧ୍ୟା ୭.୩୦ମି.ରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଠାରେ ଅବସ୍ଥିତ ସୁଇଚ‌୍ୟାର୍ଡର ଏକ ୪୪୦ କେଭି ଟ୍ରାନ୍ସଫର୍ମରରେ ଆଭ୍ୟନ୍ତରୀଣ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଜୟପାଟଣା ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାର ଉଦ୍ୟମ କରିଥିଲେ।

ପରେ କୋକସରା ଦମକଳ ବାହିନୀ ବି ଯୋଗ ଦେଇଥିଲେ। ଅନେକ ସମୟରେ ପାଣି ସିଞ୍ଚନ ପରେ ଭୋର୍‌ ୫ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଓଡିଶା ଜଳ ବିଦ୍ୟୁତ ନିଗମ ଦ୍ୱାରା ପରିଚାଳିତ ଏହି ସୁଇଚ ୟାର୍ଡର ଟ୍ରାନ୍ସଫର୍ମରମାନଙ୍କର ବ୍ୟବସ୍ଥିତ ପରିଚାଳନା ହୋଇ ପାରି ନ ଥିବାରୁ ଏଭଳି ଘଟୁଛି ବୋଲି ଆଲୋଚନା ହେଉଛି। ଇନ୍ଦ୍ରାବତୀ ପ୍ରକଳ୍ପର ସୁରକ୍ଷା ଓ ଦୀର୍ଘ ସ୍ଥାୟିତ୍ୱ ପାଇଁ ଶକ୍ତି ବିଭାଗ କିମ୍ବା ନିଗମ କୌଣସି ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଛି ବୋଲି ଆଲୋଚନା ହେଉଛି।

ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଟ୍ରାନ୍ସଫର୍ମର ପୋଡ଼ି ସମ୍ପର୍କରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପଚାରିବାରୁ ଆଭ୍ୟନ୍ତରୀଣ ସର୍ଟସର୍କିଟ ଯୋଗୁ ଏହା ଘଟିଛି ଓ ଟ୍ରାନ୍ସଫର୍ମରରେ ୩୨୦୦ କିଲୋ ଲିଟର ଇନ୍ଧନ ରହିଥିବାରୁ ତାରି ଜ୍ୱଳନ ହେତୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା ବୋଲି ପ୍ରକାଶ କରିଥିଲେ। ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁ ଏକ ଉଚ୍ଚସ୍ତରୀୟ ଟିମ ଆସୁଥିବାର ସୂଚନା ମିଳିଛି। ଇନ୍ଦ୍ରାବତୀର ସ୍ଥାୟିତ୍ୱକୁ ନେଇ ସମ୍ପୃକ୍ତ ବିଭାଗ ତତ୍ପରତା ପ୍ରକାଶ ନ କଲେ ପରବର୍ତ୍ତୀ ସମୟରେ ମଧ୍ୟ ପୂର୍ବଭଳି ଅନେକ ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର