ନବରଙ୍ଗପୁର : ଅସାବଧାନତା ଯୋଗୁ ଜଳିଗଲେ ତିନି ଠାକୁର!

ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୋକିଆ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧନତା ଯୋଗୁ ତିନିଠାକୁର ଜଳିଯାଇଛନ୍ତି। ରଥଯାତ୍ରାର ଦୁଇଦିନ ପରେ ଏଭଳି ଅଘଟଣରେ ଭୟଭୀତ ହୋଇ ପଡ଼ିଛନ୍ତି ମୋକିଆ ଗ୍ରାମବାସୀ।

କରୋନା ମହାମାରୀକୁ ନେଇ ସରକାର ରଥଯାତ୍ରା ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠି ସରକାରଙ୍କ ଆଦେଶ ଅନୁଯାୟୀ ରଥଯାତ୍ରା ନ କରି ମନ୍ଦିର ପରିସରରେ ତିନି ଠାକୁରଙ୍କ କେବଳ ନୀତିକାନ୍ତି କରି ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା।

ପ୍ରତିଦିନ ଭଳି ଆଜି ମଧ୍ୟ ପୂଜକ ସାଗର ପାଢ଼ୀ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଧୂପ, ଦୀପ ଓ ଭୋଗ ଲଗାଇ ମନ୍ଦିର ବନ୍ଦ କରି ଘରକୁ ଆସିଥିଲେ। କିଛି ସମୟ ପରେ ଅର୍ଥାତ୍ ଆଜି ସକାଳ ୧୦ଟା ବେଳେ ଜଗନ୍ନାଥ ମନ୍ଦିର ଭିତରେ ନିଆଁ ଲାଗିଥିବା ଦେଖି ଗ୍ରମବାସୀ ମନ୍ଦିର ପୂଜାରୀଙ୍କ ପରିବାରକୁ ଖବର ଦେଇଥିଲେ। ମନ୍ଦିର ପୂଜକ ଙ୍କ ମା’ ତୁରନ୍ତ ମନ୍ଦିର ଖୋଲି ଦେଖିବା ବେଳକୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁରଙ୍କ ମୂର୍ତ୍ତିରେ ନିଆଁ ଲାଗି ଜଳି ଯାଉଛନ୍ତି। ଗ୍ରାମବାସୀ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ଥିଲେ। ସେହି ସମୟ ଭିତରେ ତିନି ଠାକୁରଙ୍କ ବସ୍ତ୍ର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା।

ପୂଜା ପରେ ଦୀପର ନିଆଁ  ଦିଅଁଙ୍କ ବସ୍ତ୍ରରେ ଲାଗି ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ରଥଯାତ୍ରା ସମୟରେ ଏଭଳି ତିନି ଦିଅଁଙ୍କ ମୂର୍ତ୍ତିରେ ନିଆଁ ଲାଗିବା ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଅଞ୍ଚଳବାସୀ। ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ଉଠିଛନ୍ତି। କୋରନା ଭଳି ସଙ୍କଟ ସମୟରେ ଆଦିବାସୀ ଅଞ୍ଚଳରେ ଅଧିଷ୍ଠିତ ଦେବତାଙ୍କ ଦେହରେ ନିଆଁ ଲାଗିବା ଘଟଣା ଆଗକୁ କୌଣସି ବଡ଼ ବିପଦର ସଂକେତ ଦେଉଥିବା ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର