କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ତର ଲିକ୍ ହୋଇ ନିଆଁ ଲାଗିଯିବାରୁ ଦୁଇଜଣ ମେରାଇନ୍ ସବ୍-ଇନ୍ସପେକ୍ଟର (ମେରାଇନ୍ ଇଞ୍ଜିନ୍ ଡ୍ରାଇଭର)ଙ୍କର ମୃତ୍ୟୁ ଘଟିଛି। ଉଭୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ଥିଲେ। ସେମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ସୁଶାନ୍ତ କୁମାର ସାହୁ(୫୦) ନୌସେନାର ପୂର୍ବତନ ଚିଫ୍ ପେଟି ଅଫିସର ଓ ଅନ୍ୟ ଜଣକ ନୟାଗଡ଼ ଜିଲ୍ଲା ପ୍ରକାଶ ଚନ୍ଦ୍ର ସାମନ୍ତରାୟ(୪୨) ନୌସେନାର ପୂର୍ବତନ ପେଟି ଅଫିସର ବୋଲି ଜଣାପଡ଼ିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ଖରିନାସୀ ଗାଁରେ ଜମ୍ବୁ ମେରାଇନ୍ ଥାନାର ଏକ ଭଡ଼ା ଘରେ ୧୨ ଜଣ ଟେକ୍ନିକାଲ ଷ୍ଟାଫ୍ ରହୁଥିଲେ। ଭଡ଼ାଘର ପାଖରେ ରୋଷେଇ ଘର ରହିଛି। ଆଜି ସକାଳେ ସୁଶାନ୍ତ ଓ ପ୍ରକାଶ ସେଠାକୁ ରୋଷେଇ କରିବାକୁ ଯାଇଥିଲେ। ଉକ୍ତ ରୋଷେଇ ଘରେ ଥିବା ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିବା ବିଷୟରେ ସେମାନେ ଜାଣିପାରି ନ ଥିଲେ। ରୋଷେଇ କରିବାକୁ ଷ୍ଟୋଭ ଲଗାଇବାକୁ ଉଦ୍ୟମ କଲା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଘର ସାରା ନିଆଁ ବ୍ୟାପିଯିବା ସହ ଉଭୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ପ୍ରକାଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସୁଶାନ୍ତଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା। ତାଙ୍କୁ ମେରାଇନ୍ ଥାନା ପୁଲିସ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କୁ ପୁଲିସ ଜିପ୍ରେ କେନ୍ଦ୍ରାପଡ଼ା ନିଆଯାଇଥିଲା। ମେଡିକାଲ୍ ନେବାରେ ବିଳମ୍ବ ହେବାରୁ ସୁଶାନ୍ତଙ୍କ ମୃତ୍ୟୁ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉଭୟ ସୁଶାନ୍ତ ଓ ପ୍ରକାଶ ନୌସେନାରୁ ଅବସର ନେବା ପରେ ମେରାଇନ୍ ଥାନାରେ ଚୁକ୍ତିବଦ୍ଧ ନାବିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଖବର ପାଇ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରାତି ସାରା ଉକ୍ତ ରୋଷେଇ ଘରେ ଗ୍ୟାସ୍ ଲିକ୍ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏସ୍ପି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲିକ୍ ହେଉଥିବା ଗ୍ୟାସ ସିଲିଣ୍ତରକୁ ଏକ ଜଳାଶୟରେ ବୁଡ଼ାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସେ ପର୍ଯ୍ୟନ୍ତ ସେଥିରୁ ଗ୍ୟାସ୍ ଲିକ୍ ହେଉଥିଲା। କିନ୍ତୁ ସିଲିଣ୍ଡରଟି ବିସ୍ଫୋରଣ ଘଟି ନ ଥିଲା। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ଅଣାଯାଇ ଗାର୍ଡ ଅଫ୍ ଅନର ଓ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଜମ୍ବୁ ମେରାଇନ୍ ଥାନାରେ ଏହାକୁ ନେଇ ଅପମୃତ୍ୟୁ ମାମଲା(୧୫/୧୯)ରୁଜୁ କରାଯାଇଛି। ଉଭୟଙ୍କ ମୃତଦେହକୁ ପୁଲିସ୍ ଭ୍ୟାନ୍ରେ ସେମାନଙ୍କ ଗାଁକୁ ପଠାଯାଇଛି।