ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ ଶିକାର, ୪ ଗିରଫ

ଯୁଯୁମୁରା: ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍‌ସନ୍‌ ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲର ଜାମଦରହ ଅଞ୍ଚଳରେ ଶୁକ୍ରବାର ଅପରାହ୍‌ଣ ୪ଟା ବେଳେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରିବାକୁ ଯାଉଥିବା ୪ ଶିକାରୀଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଂସର ଗ୍ରାମର ଅଜୟ ଭେଙ୍ଗରା (୨୪), କିଆଫା ହାତୀପଟା (୨୭), କାଲେଫ ଚାଉଁରିଆ (୧୮) ଓ ସୀତାରାମ ମୁଣ୍ଡା (୨୮)। ସେମାନଙ୍କଠାରୁ ମୃତ ଉଡ଼ନ୍ତା ମୂଷା, ୨ଟି ମୃତ ପକ୍ଷୀ, ଦିଆସିଲି, ବାଟୁଳି, ଗୋଡ଼ି, ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଆଦି ଜବତ କରାଯାଇଛି।

ସୂଚନା ଅନୁଯାୟୀ ଛାମୁଣ୍ଡା ଫରେଷ୍ଟର୍‌ ବିକାଶ ଭୋଇ, ଗାର୍ଡ ରଶ୍ମିରଂଜନ ନାଥ, ଅନ୍ତର୍ଯ୍ୟାମୀ ନାଗ, ଜୁଆଲ୍‌ ଟପ୍‌ନୋ ପ୍ରମୁଖ ଆଜି ଅପରାହ୍‌ଣରେ ପାଟ୍ରୋଲିଂରେ ଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲ ଭିତରେ ଦେଖିଥିଲେ। ସେମାନେ ଜାମଦରହ ଅଞ୍ଚଳର ଏକ ସ୍ଥାନରେ ଜଙ୍ଗଲରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ। ଯାଞ୍ଚ କରିବାରୁ ସେମାନଙ୍କଠାରୁ ଉପ‌ରୋକ୍ତ ସାମଗ୍ରୀ ମିଳିଥିଲା। ସେମାନେ ଏପରି ଉପାୟରେ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରନ୍ତି ବୋଲି ସ୍ବୀକାର କରିଥିଲେ। ସମସ୍ତଙ୍କୁ ପଡ଼ିଆବାହାଲ ରେଞ୍ଜ ଅଞ୍ଚଳରେ ଅଟକ ରଖି ପଚରାଉଚରା କରାଯାଉଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର