ଯାଜପୁର/କୋରେଇ: ଯାଜପୁରରୋଡ୍ ନିକଟ କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ଛକରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ଖେଳାଇ ଦେଇଛି। କବାଡ଼ିଆ ଗୋଦାମ ନାମରେ ଗୁପ୍ତରେ ଏଠାରେ ଚାଲିଥିଲା ବେଆଇନ୍ ପ୍ଲାଷ୍ଟିକ୍ କାରଖାନା। ଏହି ଅଗ୍ନିକାଣ୍ଡରେ ୨ଜଣ ଅଗ୍ନିଶମ ଅଧିକାରୀ ଆହତ ହୋଇଥିଲେ। ଦୀର୍ଘ ଦିନ ହେଲା ଏଠାରେ ବେଆଇନ ଭାବେ ବିପଜ୍ଜନକ ପ୍ରଦୂଷଣକାରୀ ପ୍ଲାଷ୍ଟିକ୍ କାରଖାନା ଚାଲିଥିବା ବିଷୟ ଅଗ୍ନିକାଣ୍ଡ ପରେ ଲୋକଲୋଚନକୁ ଆସିଛି। ଏହି କାରଖାନାକୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇଛି। ଅଥଚ ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। କାରଖାନାଠାରୁ ୪/୫ କିମି ଦୂରରେ ଯାଜପୁରରୋଡ୍ ପ୍ରଦୂଷଣ ନିୟନ୍ତ୍ରଣ ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ଏ ସମ୍ପର୍କରେ ତଥ୍ୟ ନାହିଁ। ବେଆଇନ କାରଖାନା ମାଲିକଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନାମକୁ ମାତ୍ର ତହସିଲ ପକ୍ଷରୁ ଆର୍ଆଇଙ୍କ ଦ୍ବାରା ତଦନ୍ତ କରାଯାଉଥିବାର କୁହାଯାଉଛି। ଗତକାଲି ଭୟାବହ ଅଗ୍ନିକାଣ୍ଡ ସାଙ୍ଗକୁ ବିସ୍ଫୋରଣ ଶବ୍ଦରେ ଭୂମି ଥରି ଉଠିବାବେଳେ ପ୍ରଶାସନ ନିକଟରେ କୌଣସି ସନ୍ତୋଷଜନକ ଉତ୍ତର ନଥିବା ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ଏହି କବାଡ଼ିଆ ଗୋଦାମରେ ବହୁଦିନ ଧରି ବେଆଇନ୍ ଭାବେ ପ୍ଲାଷ୍ଟିକ ତରଳା କାରଖାନା ଚାଲିବା ସହ ଜିଲ୍ଲା ବାହାରକୁ ଚାଲାଣ କରାଯାଉଥିଲା। ବେଆଇନ୍ ଭାବେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ବଡ଼ବଡ଼ ମେସିନ୍ ବସାଯାଇଥିଲା। ଅଗ୍ନିକାଣ୍ତ ପରେ ଗୋଦାମରେ ଥିବା ବହୁ ମେସିନ୍ ଅଧାପୋଡ଼ା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଜାଗାଟି ଶାସକଦଳର ଜଣେ ନେତାଙ୍କର ହୋଇଥିବା ବେଳେ ବଡ଼ବଡ଼ିଆଙ୍କ ଛତ୍ରଛାୟାରେ ଏହି ବେଆଇନ୍ କାରବାର ଦୀର୍ଘଦିନ ଧରି ଚାଲିଥିଲା। ଗୁଜରାଟ ଅଞ୍ଚଳର ମନସୁର ଚୌଧୁରୀ ଭଡ଼ାସୂତ୍ରରେ ଗୋଦାମଟିକୁ ନେଇ କବାଡ଼ିଆ ସମାଗ୍ରୀ ବ୍ୟବସାୟ ଆଳରେ ପ୍ଲାଷ୍ଟିକ କାରଖାନା ଚଳାଇଥିଲେ। ସେ ଦୁଇବର୍ଷ ତଳେ ଏହି ଗୋଦାମ କରି ପ୍ଲାଷ୍ଟିକ, ଟାୟାର ଓ ବୁଲାବିକାଳିଙ୍କଠାରୁ ସଂଗ୍ରହ କରୁଥିଲେ।
ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି। ବେଆଇନ୍ କାରବାର ବିଷୟରେ ଜଣାପଡ଼ଲେ କାର୍ଯ୍ୟାନୁଷ୍ଠାନ ହେବ। ଏଭଳି ବେଆଇନ ଘଟଣାକୁ ପରିବେଶ ବିଭାଗ କିପରି ଚୁପ୍ ହୋଇ ଦେଖୁଛି? ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି କାରଖାନା ପାଇଁ ଅନୁମତି ଦିଆଯାଇନାହିଁ। ତଦନ୍ତ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/32-22.jpg)