କେଶରୀ ମଲ୍‌ରେ ଅଗ୍ନିକାଣ୍ଡ: ୮ ଦୋକାନ ଛାରଖାର, ୧୦ ଲକ୍ଷ ଟଙ୍କାର ଡ୍ରେସ୍ ଓ ଆସବାବପତ୍ର ପାଉଁଶ

ଭୁବନେଶ୍ବର: ଆଜି ରାତି ପ୍ରାୟ ସାଢ଼େ ୧୦ ବେଳେ ମାର୍କେଟ୍ ବିଲ୍ଡିଂସ୍ଥିତ କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ପ୍ରାୟ ୮ଟି ଦୋକାନ ଛାରଖାର ହୋଇଯାଇଛି ଏବଂ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଛି। ତେବେ, ସେତେବେଳକୁ ମଲ୍‌ ବନ୍ଦ ହୋଇଯାଇଥିବାରୁ ସେଠାରେ କୌଣସି ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ ନଥିଲେ। ତେଣୁ ଅଗ୍ନିକାଣ୍ଡରେ ଧନହାନୀ ହୋଇଥିଲେ ହେଁ କାହାର ଜୀବନହାନି ହୋଇନାହିଁ। ସେହିଭଳି ତୁରନ୍ତ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଏକ ବଡ଼ଧରଣର ବିପଦ ଟଳିଯାଇଛି। ପ୍ରାୟ ୫ ମିନିଟ୍‌ର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ, ମଲ୍‌ର ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍‌ ଦୋକାନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ସେହିବାଟ ଦେଇ ଯାତାୟାତ କରୁଥିବା ଲୋକେ ଏହା ଦେଖି କ୍ୟାପିଟାଲ ଥାନା ପୁଲିସ ଓ ୧୧୨ କୁ ଫୋନ୍‌ କରିଥିଲେ। ତେବେ ପୁଲିସ ଗାଡ଼ି ଓ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁ ହୁତ୍‌ହୁତ୍‌ ହୋଇ ଜଳିଉଠିଥିଲା। ଚାହୁଁ ଚାହୁଁ ପ୍ରଥମ ମହଲାରେ ଥିବା ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ନିଆଁ ଡେଇଁବା‌ରେ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ମାତ୍ର ୧୦ ମିନିଟ୍‌ ୮ଟି ଦୋକାନକୁ ନିଆଁ ଗ୍ରାସ କରିପକାଇଥିଲା। ୪ଟି ଡ୍ରେସ୍ ଦୋକାନ, ବିୟୁଟି ପାର୍ଲର୍ ଓ ଅନ୍ୟାନ୍ୟ ଦୋକାନ ସମେତ ପ୍ରାୟ ୮ଟି ଦୋକାନରେ ନିଆଁ ଲାଗିଥିଲା। ପ୍ରଥମେ ଏକ ଡ୍ରେସ୍ ଦୋକାନରେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା। ୟୁନିଟ୍-୫ ଓ କଳ୍ପନା ଅଗ୍ନିଶମ ବାହିନୀର ୩ଟି ଗାଡ଼ି ନିଆଁ ଲିଭାଇବାରେ ନି‌‌ୟୋଜିତ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ପାଣି ପକାଇବା ସହ ଦୋକାନର ସିଲିଂ ଆଦି ଭାଙ୍ଗି ଭଲ ଭାବେ ନିଆଁ ଲିଭାଇଥିଲେ। ସର୍ଟସର୍କିଟ୍‌ରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ଯାଞ୍ଚ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର