ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅର୍ନ୍ତଗତ ଲୁହାପଙ୍କ ପଞ୍ଚାୟତ କୁଟାସିଙ୍ଗା ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡ଼ିଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାନୁସାରେ ଗତକାଲି ଦିନ ପ୍ରାୟ ୧ଟା ବେଳେ ଗ୍ରାମର ଘାସିନାଥ ବେହେରାଙ୍କ ଚାଳ ଛପର ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ରୋଷେଇ ଘର ସମେତ ଦୁଇ ବଖରା ଘର ପୋଡ଼ିଯାଇଥିଲା। କୁଟାସିଙ୍ଗା ଗ୍ରାମଟି ଅନୁଗୁଳ ସୀମାରେ ହୋଇଥିବାରୁ ଖବର ପାଇ ବାମୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ମାତ୍ର ତାଙ୍କ ଦୁଇ ବଖରା ଘରେ ଥିବା ସମସ୍ତ ଆସବାପତ୍ର, ଧାନ ଚାଉଳ ଆଦି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ଜଣାପଡିଛି। ଖବର ପାଇ ଲୁହାପଙ୍କ ସରପଞ୍ଚ ଚିନ୍ମୟୀ ପ୍ରଧାନ ପୀଡ଼ିତ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜି ଖବର ଲେଖାହେବା ପର୍ଯ୍ୟନ୍ତ ରାଜସ୍ବ ବିଭାଗ ପକ୍ଷରୁ କୈାଣସି ସହାୟତା କି ତାରପୋଲିନ ଖଣ୍ଡେ ବି ଯୋଗାଇ ଦିଆଯାଇ ନାହିଁ। ଘାସିନାଥଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ତାଙ୍କୁ ଆବଶ୍ୟକ ସହୟତା ଯୋଗାଇଦେବାକୁ ଦାବି ହୋଇଛି। ସେପଟେ ଘଟଣାକୁ ନେଇ ସରପଞ୍ଚ ମଧ୍ୟ ରାଜସ୍ବ ବିଭାଗକୁ ଜଣାଇଥିବା ଜଣାପଡ଼ିଛି। ତୁରନ୍ତ ତାଙ୍କୁ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଘର ପୋଡ଼ି ଯାଇଥିବାରୁ ପରିବାର ​ସଦସ୍ୟଙ୍କ ସହ ଘାସିନାଥ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।